ଅନ୍ତସତ୍ୱାଙ୍କ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର: ଜଣେ ଅନ୍ତସତ୍ୱାଙ୍କ ଦେବଦୂତ ସାଜିଛନ୍ତି କିଛି ଯବାନ । ଠିକ୍ ସମୟରେ ଉକ୍ତ ମହିଳାଙ୍କର ଜୀବନ ବଚାଂଇଥିବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ଖବର ଅନୁଯାୟୀ, ଏବେ କାଶ୍ମୀରର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ବରଫତାପ ହେଉଛି । ଫଳରେ ଲୋକମାନେ ଘରୁ ବାହାରିବା ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକ୍ ଏହି ସମୟରେ କାଶ୍ମୀରର ବାଣ୍ଡିପୋରା ସେକ୍ଟର ପନା ଗାଁରେ ଗୁଲସନା ବେଗମ୍ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହାସତ୍ୱେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାରେ ଅସମର୍ଥ ଥିଲେ । ବରଫପାତ କାରଣରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ଜାମ ହୋଇପଡ଼ିଛି । ଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି । ଏହି ପରିସ୍ଥିତିରେ ରାଷ୍ଟ୍ରୀୟ ରାଇଫଲ ଦଳର ଯବାନ ଖବର ପାଇ ଗୁଲସନାଙ୍କ ଘରେ ପହଂଚିଥିଲେ । ତାଙ୍କୁ ସେଠାରୁ ପ୍ରାୟ ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ କିଛି ଯବାନ କାନ୍ଧରେ ବୋହି ଚାଲିଚାଲି ନେଇ ଡାକ୍ତରଖାନାରେ ପହଂଚିଥିଲେ । ଠିକ୍ ସମୟରେ ଉକ୍ତ ମହିଳା ଜଣଙ୍କୁ ଡାକ୍ତରଖାନାରେ ପହଂଚାଇଥିବାରୁ ତାଙ୍କର ଦୁଇଟି ଯମଜ ସନ୍ତାନ ଜନ୍ମ ହୋଇଥିଲେ ।