ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ୬ କିମି ଚାଲିଲେ ବିଧାୟକ

ନବରଙ୍ଗପୁର: ପୁଣି ମହାନତା ଦେଖାଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଜଣେ ଗର୍ଭବତୀ ମହିଳାଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତା ଦେଇ କାନ୍ଧରେ ବୋହି ବୋହି ୬ କିମି ଚାଲିଲେ ବିଧାୟକ । ପରେ ସେ ଉକ୍ତ ମହିଳାଙ୍କୁ ନିଜ ଗାଡିରେ ବସାଇ ମେଡିକାଲକୁ ନେଇଥିଲେ । ଯେଉଁଥିପାଇଁ ପୁଣି ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ସେ ନିଜର ନିଆରା କାର୍ଯ୍ୟଶୈଳୀ ଓ ଜନସେବା ପାଇଁ ସର୍ବଦା ଚର୍ଚ୍ଚାର ପରିଧି ମଧ୍ୟରେ ରହୁଥିବା ବେଳେ ବର୍ତମାନ ଜଣେ ଗର୍ଭବତୀଙ୍କୁ କାନ୍ଧରେ ବୋହି ପୁଣି ଭଲ କାମ କରିଛନ୍ତି ।

ନିଜ ଭୋଟରଙ୍କ ପ୍ରତି ନେତାଙ୍କ କିଭଳି ଆଚରଣ ରହିବା ଉଚିତ, ନେତା ଓ ଜନତାଙ୍କ ପ୍ରତି କର୍ତବ୍ୟର ଏକ ବଳିଷ୍ଠ ଉଦାହରଣ ଦେଖାଇଛନ୍ତି ମନୋହର ରନ୍ଧାରୀ । ନିଜର ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଓ ପାହାଡ ଘେରା କୁସୁମଖୁଂଟା ଗ୍ରାମକୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ ସେ । ତେବେ ଗ୍ରାମର ମନ ବେହେରାଙ୍କ ସ୍ତ୍ରୀ ଜେମା ବେହେରା ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗ୍ରାମକୁ ଯାଇଥିବା ପାହାଡିଆ ରାସ୍ତା ଖରାପ ଥିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା । ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଜେମାଙ୍କୁ ମେଡିକାଲ ନେବା ଅପରିହାର୍ଯ୍ୟ ହୋଇପଡିଥିଲା ।

ସେପଟେ ଗାଁକୁ ଯାଇଥିବା ବିଧାୟକ ଘଟଣା ବାବଦରେ ଅବଗତ ହେବା ପରେ ସଙ୍ଗେ ସଙ୍ଗେ କାଳବିଳମ୍ବ ନକରି ଅନ୍ୟ ମାନଙ୍କ ସହ ମିଶି ନିଜେ କାନ୍ଧରେ ପାହାଡିଆ ଓ ଜଙ୍ଗଲ ରାସ୍ତାରେ ପ୍ରାୟ ୬ କିଲୋମିଟର ରାସ୍ତାରେ ବୋହି ନିଜ ଗାଡି ପାଖକୁ ଆଣିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ନିଜ ଗାଡ଼ିରେ ପାପଡାହାଣ୍ଡି ମେଡିକାଲକୁ ଆଣିଥିଲେ ଏବଂ ଜେମାଙ୍କ ଚିକିତ୍ସା କରାଇଥିଲେ । ଏହିପରି ଅଂଚଳର ଲୋକଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ନେତାଙ୍କ ଭିଡ଼ ଜମେ ଏବଂ ଗ୍ରାମର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ ନିର୍ବାଚନ ବୈତରଣୀ ପାର ହେବାପରେ ସବୁ ପ୍ରତିଶୃତି ଭୁଲି ଯାଆନ୍ତି । ହେଲେ ବିଧାୟକ ରନ୍ଧାରୀ ନିଜ କର୍ତବ୍ୟ ଓ ଦାୟିତ୍ବ ବଧତାକୁ ଭୁଲି ନଥିଲେ ଏବଂ ସେ ନିଜେ ଜନତାଙ୍କ ସେବା କରିବାକୁ ଆଗେଇ ଆସିଥିଲେ ।