ପ୍ରବାସୀ ଭାଷା ସମ୍ମାନ-୨୦୧୯ : ପ୍ରତିଭା ରାୟଙ୍କୁ ଆମ ଗୌରବ ସମ୍ମାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ୱାରା ପ୍ରତି ବର୍ଷ ପ୍ରଦାନ କରାଯାଉ ଥିବା ସମ୍ମାନଜନକ ‘ପ୍ରବାସୀ ଭାଷା ସମ୍ମାନ’ ଚଳିତ ବର୍ଷ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଆସନ୍ତା ଫେବ୍ରୁଆରି ୨୦ ତାରିଖରେ କନ୍‌ଷ୍ଟଚ୍ୟୁସନ୍‌ କ୍ଲବ ଅଫ୍‌ ଇଣ୍ଡିଆ ସଭାଗୃହରେ ୫ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅବସରରେ ପ୍ରଦାନ କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ୨୦୧୯ ମସିହା ପାଇଁ ଓଡ଼ିଆ ଭାଷାକୁ ବିଶେଷ ଅବଦାନ ପାଇଁ ଡଃ ପ୍ରତିଭା ରାୟଙ୍କୁ ‘ଆମ ଗୌରବ ସମ୍ମାନ’ ପ୍ରଦାନ କରାଯିବ।

ଏଥି ସହିତ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନ୍‌ହୁର (ଶିଶୁ ସାହିତ୍ୟ), ପଂଚାନନ ମହାନ୍ତି (ଭାଷାବିତ୍), ଦୁଃଖିଶ୍ୟାମ ପଟ୍ଟନାୟକ (ପାଣ୍ଡୁଲିପି ବିଷାରଦ), ସାରୋନ୍‌ ଲୟେନ୍‌ (ଓଡ଼ିଶୀ ନୃତ୍ୟ), ସୁଶ୍ମିତା ଦାସ (ଓଡ଼ିଆ ସଙ୍ଗୀତ), ଅନ୍ତର‌୍ୟ୍ୟାମୀ ମିଶ୍ର (ଗବେଷଣା ଓ ପାଠ୍ୟକ୍ରମ), ସୁଧୀର ପଟେଲ (କମ୍ପ୍ୟୁଟରୀକରଣ), ଶ୍ରୀ ଦେବେନ୍ଦ୍ର ପୃଷ୍ଠି (ସାମ୍ବାଦିକତା), ଡଃ ବିଜୟଲକ୍ଷ୍ମୀ ନାୟକ (ଶିକ୍ଷକ ଓ ଗୀତି କବିତା), ଭାଗିରଥୀ ନନ୍ଦ (ଅନୁବାଦ)ଙ୍କୁ ଓଡ଼ିଆ ଭାଷାକୁ ଅବଦାନ ପାଇଁ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ। ସାଂଗଠନିକ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ପ୍ରଶଂସନୀୟ ପ୍ରୟାସ ଲାଗି ନିମ୍ନଲିଖିତ ସଂଗଠନର ମୁଖ୍ୟଙ୍କୁ ସମ୍ମାନିତ କରାଯିବ। ‘ନାଲ୍‌କୋ’ ପାଇଁ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡଃ ତପନ କୁମାର ଚାନ୍ଦ, ‘ସମ୍ବାଦ’ ପାଇଁ ସୌମ୍ୟରଂଜନ ପଟ୍ଟନାୟକ, କଳିଙ୍ଗ ସାହିତ୍ୟ ମହୋତ୍ସବ ପାଇଁ ପ୍ରତିଷ୍ଠାତା ରଶ୍ମୀରଂଜନ ପରିଡ଼ା ଓ ନିଖିଳ ଉତ୍କଳ ଓଡ଼ିଆ ସମ୍ମାନ ଛାତ୍ର ସଂସଦର ଆବାହକ ଡଃ ଇନ୍ଦ୍ରମଣୀ ସାହୁଙ୍କୁ ସମ୍ମାନିତ କରାଯିବ। ଏଥି ସହିତ ଯୁବପୀଢ଼ିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଂଜନ କୁମାର ପ୍ରଧାନ (ସାମ୍ବାଦିକ ଓ ଲେଖକ), ଶ୍ରୀ ଅକ୍ଷୟ ଓଝା (ଲୋକାଦୃତ କବିତା) ଓ ଅତସୀ ମିଶ୍ର (ଓଡ଼ିଶୀ ନୃତ୍ୟ)ଙ୍କୁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯିବ। ଜାତୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ଏହି ସମାରୋହରେ ସମ୍ମାନୀତ କରାଯିବ। ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରତିଯୋଗିତାରେ ଆୟୁଷା ସ୍ୱାଇଁ (ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗଡ଼, ଭୁବନେଶ୍ୱର) ଅର୍ଚ୍ଚନା ପଣ୍ଡା, (ବିପ୍ଲବୀବୀର ଚକ୍ରଧର ବିଦ୍ୟାପୀଠ, ତୋଟାପଡ଼ା, ଭଦ୍ରକ) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ହୋଇଥିବା ବେଳେ ମନୀତ ମଙ୍ଗରାଜ (ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର, ଭୁବନେଶ୍ୱର) ଓ ସ୍ନେହାଶ୍ରୀ ଷଡଙ୍ଗୀ (ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲିମିଣ୍ଡା, ବରଗଡ଼) ଯୁଗ୍ମ ୩ୟ ହୋଇଛନ୍ତି। ଏହି ସମ୍ମିଳନୀରେ ଓଡ଼ିଆ ଭାଷା ସମେତ ଅନ୍ୟ ସମସ୍ତ ଭାରତୀୟ ଭାଷାର ପ୍ରତିନିଧିମାନେ ଯୋଗଦେଉଛନ୍ତି। ଜାତୀୟ ସ୍ତରରେ ଏହା ଏକମାତ୍ର ପ୍ରୟାସ ଯାହା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ବର୍ଷ ପୂର୍ତ୍ତି ଓ ଅନ୍ତର୍ଜାତୀୟ ଭାଷା ଦିବସକୁ ପାଳନ କରିବା ଉଦ୍ଦେଶ୍ୟରେ ଓଡ଼ିଆ ସ୍ୱାଭିମାନର ସମାରୋହ ଭାବେ ପାଳନ କରାଯାଇଥାଏ।