କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌

ବାଲେଶ୍ୱର: ବାଲେଶର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଗତ ୬ତାରିଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୀଳଗିରି ବିଧାୟକ ନାୟକଙ୍କ ସହ ମିଶି ଗତ ୨ ଓ ୩ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରି କି ବାଲେଶ୍ୱର ସଦର ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇଥିଲେ। ବିଧାୟକ ନାୟକ କରୋନା ପଜିଟିଭ ଚିହ୍ନଟ ହେବାପରେ ଗତ ୬ତାରିଖଠାରୁ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସଙ୍ଗରୋଧରେ ଥିଲେ। ଗୁରୁବାର ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ଦିଲ୍ଲୀ ଏମ୍‌ସରେ ପରୀକ୍ଷା କରାଯାଇଥିଲା।