ଭୁବନେଶ୍ୱର: କରୋନା ବିରୋଧରେ ଯୁଦ୍ଧ କରୁଥିବା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଟିମ, ଡାକ୍ତର ଏବଂ ପାରାମେଡ଼ିକାଲ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ରାଜ୍ୟର କରୋନା ସଂକ୍ରମିତ ୧୦ ଜଣ ବ୍ୟକ୍ତି ସୁସ୍ଥ ହୋଇଥିବା ଖବର ସାମନାକୁ ଆସିବା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଟିମକୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ଉଭୟ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରମନ୍ତ୍ରୀ। ଖାଲି ଏତିକି ନୁହେଁ କରୋନା ବିରୋଧରେ ଯୁଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ପ୍ରସଂଶା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଲେଖିଲେ ଓଡ଼ିଶାର ୧୦ ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ଖବର ଶୁଣି ଖୁସି ଲାଗିଲା। ଡାକ୍ତର ଏବଂ ସେମାନଙ୍କ ସହକର୍ମୀଙ୍କ ପ୍ରତିବଦ୍ଧ ତଥା ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ଟ୍ୱିଟ ଯୋଗେ କହିଛନ୍ତି।
କହି ରଖୁଛୁ ଯେ ଗତକାଲି ରାତିରେ ରାଜ୍ୟର ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫ ଜଣ, ୨ ଜଣ ଭଦ୍ରକର ହୋଇଥିବା ବେଳେ ଯାଜପୁର, କଟକ ଏବଂ ପୁରୀର ଜଣେ ଲେଖାଏଁ ବ୍ୟକ୍ତି କୋରୋନାରୁ ମୁକ୍ତି ପାଇଛନ୍ତି। ଏହାକୁ ମିଶେଇ ରାଜ୍ୟରେ ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୩୭ ଜଣଙ୍କ ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ତେବେ ଗତକାଲି ରାତିରେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଂଚିଛି।