ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ ପରେ ଖୋରଧା ବିଡିଓଙ୍କୁ କୈଫତ ତଲବ

ଭୁବନେଶ୍ୱର: ସୋମବାର ଅଭିଯୋଗ ଶୁଣାଣି ଦିନ ଥିବାରୁ ଗାଁ ଗହଳରୁ ଲୋକେ ଆସିଥିଲେ ବିଡିଓଙ୍କୁ ନିଜର ଦୁଃଖ ଜଣାଇବାକୁ ହେଲେ ବିଡିଓ ଆସିଲେନି କି ଆବଶ୍ୟକ ସଂଖ୍ୟକ କର୍ମଚାରୀ ବି ଉପସ୍ଥିତ ରହିଲେନି, କିନ୍ତୁ ପହଞ୍ଚିଗଲେ ମନ୍ତ୍ରୀ । ସେହିଠାରେ ବିଡିଓଙ୍କ ବଦଳରେ ମନ୍ତ୍ରୀ ଶୁଣିଲେ ଲୋକଙ୍କ ଦୁଃଖ । ସମାଧାନ ବି ହେଲା । ଏବେ ବିଡିଓଙ୍କ ମଗାଯାଇଛି କୈଫତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଖୋରଧା ବ୍ଲକ ଅଫିସ୍‍ରେ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଅଚାନକ ଖୋରଧା ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଏଭଳି ଘଟଣା ଘଟିଛି । ମନ୍ତ୍ରୀ ବ୍ଲକ ଅଫିସରରେ ପହଞ୍ଚିବା ବେଳକୁ ବିଡିଓଙ୍କ ସହିତ ଅନ୍ୟ କିଛି କର୍ମଚାରୀ ଆସିନଥିଲେ । ହେଲେ ଗାଁ ଗହଳରୁ ଲୋକେ ଆସି ରୁଣ୍ଡ ହୋଇଥିଲେ ସେମାନଙ୍କର ଦୁଃଖ ଜଣାଇବାକୁ । ବିଡିଓ ନଆସିବା ଦେଖି ମନ୍ତ୍ରୀ ଶ୍ରୀ ଜେନା ନିଜେ ଜଣଙ୍କ ପରେ ଜଣେ ଲୋକଙ୍କ ଦୁଃଖ ଶୁଣିଥିଲେ । ଗୋଳବାଇ ଗାଁର ଅଶୋକ ବେହେରାଙ୍କ ଘର ପୋଡି ଯାଇଥିଲା । ଆସିଥିଲେ ନିଜର ଦୁଃଖ ଜଣାଇ ଘର ଖଣ୍ଡେ ପାଇବାକୁ । ମନ୍ତ୍ରୀ ଅଶୋକଙ୍କ ଦୁଃଖ ଶୁଣିଲେ ଓ ଘର ମିଳିବ ବୋଲି ପ୍ରତିଶ୍ରୁତି ବି ଦେଲେ । ସେହିଭଳି ପାନବରଜ ଗାଁର ଉର୍ମିଳା ସାହୁ ଆସିଥିଲେ ପାଇଖାନା ନିର୍ମାଣ ବାବଦ ବାକିଆ ଟଙ୍କା ପାଇବାପାଇଁ । ବର୍ଷେ ତଳୁ ପାଇଖାନା ନିର୍ମାଣ ସରିଥିଲେ ବି ଟଙ୍କା ମିଳିନାହିଁ । ମନ୍ତ୍ରୀ ସବୁ ଶୁଣିବା ପରେ କିଭଳି ତୁରନ୍ତ ଟଙ୍କା ମିଳିବ ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, ଏହିଭଳି ଜଣଙ୍କ ପରେ ଜଣଙ୍କ ସମସ୍ୟା ଶୁଣିବା ସହିତ ତାହାର ସମାଧାନଲାଗି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଅର୍ଥ ମଞ୍ଜୁର ହୋଇଥିବା ଅନେକ ପ୍ରକଳ୍ପ ଠିକଣା ଭାବେ କାର୍ଯ୍ୟକାରୀ ହୋଇନଥିବା ମନ୍ତ୍ରୀଙ୍କ ନଜରକୁ ଆସିଥିଲା । ବ୍ଲକ ଅଫିସର କାର୍ଯ୍ୟ ସାରି ମନ୍ତ୍ରୀ ଶ୍ରୀ ଜେନା ଖୋରଧା ପୌରାଞ୍ଚଳର ବିକାଶ ପାଇଁ ଆଲୋଚନା କରିବା ସହିତ ଡମ୍ପିଂୟାର୍ଡ ପରିଦର୍ଶନ କରିଥିଲେ । ଅଭିଯୋଗ ଶୁଣି ମନ୍ତ୍ରୀ ଫେରିବାପରେ ଏବେ ବିଡିଓଙ୍କ ଅନୁପସ୍ଥିତ ନେଇ କୈଫତ ତଲବ ହୋଇଛି । ସୋମବାର ଦିନ ଲୋକଙ୍କ ଅଭିଯୋଗ ଶୁଣାଣି ଦିନ ହୋଇଥିଲେ ମଧ୍ୟ ବିଡିଓ ଓ ଅନ୍ୟାନ୍ୟ କର୍ମଚାରୀମାନେ କାହିଁକି ଠିକ୍‍ ସମୟରେ ଅଫିସ୍‍ ଆସିଲେ ନାହିଁ ସେ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‍ ଜାରି ସହିତ ୭ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ତେବେ ସରକାରୀ ଦପ୍ତରରେ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ଖିଲାପି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।