ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ଜଗତସିଂହପୁର: ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୧୯ ଉପଲକ୍ଷେ ସ୍ଥାନୀୟ ଟାଉନ୍‌ ହଲଠାରେ ପୌରାଞ୍ଚଳର ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧଭା ଭତ୍ତା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାର ପାରାଦୀପ ବନ୍ଦର ଦେଶର ପ୍ରଗତିର ମୁଖଶାଳା ବୋଲି କହିବା ସହ ବନ୍ଦର ନଗରୀରୁ ରାଜ୍ୟ ଅଧିକ ରାଜସ୍ୱ ପାଉଛି ବୋଲି ପ୍ରକାଶ କରିଥିଲେ। ଜଗତସିଂହପୁର ପୌରପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି। ରାଜ୍ୟ ସରକାରଙ୍କ ୫ ‘ଟି’ ମନ୍ତ୍ର ଦ୍ୱାରା ଏହି ପୌରାଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ ବୃକ୍ଷରୋପଣ, ଆବର୍ଜନାମୁକ୍ତ, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଯୋଗଦେଇ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ଏକ ସମୟରେ ପୌର ପାଳିକାରେ ପରିଣତ ହୋଇଥିଲା। ଜଗତସିଂହପୁର ଏକ ମଡେଲ୍‌ ମ୍ୟୁନିସିପାଲିଟିରେ ନିଶ୍ଚୟ ପରିଣତ ହେବ ବୋଲି ସେ ମତପ୍ରକାଶ କରିଥିଲେ। ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର ସହରାଞ୍ଚଳର ଲୋକମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରଗତି ହୋଇଛି। ଗତ ବର୍ଷ ପ୍ରତ୍ୟେକ ୱାର୍ଡକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟାଦେଶରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଲେ ଯେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜଗତସିଂହପୁର ସହରରେ କେବୁଲ ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ୧୫ କୋଟି ଟଙ୍କା, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବ।

ଏହା ବ୍ୟତୀତ ପୌରାଞ୍ଚଳର ସମସ୍ତ ୱାର୍ଡରେ ୫୦୦ରୁ ୬୦୦ ଏଲ୍‌ଇଡି ଲାଇଟ୍‌ ଲାଗିବ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍‌ର ସୌନ୍ଦର‌୍ୟ୍ୟକରଣ କରାଯିବ। ଜଗତସିଂହପୁର ସହରରେ ପ୍ରତି ଛକରେ କ୍ଲୋଜ୍‌ ସର୍କିଟ କ୍ୟାମେରା ଲାଗିବା ସହିତ ପାରାଦୀପ ଓ ଜଗତସିଂହପୁରରେ ଉତ୍ସର୍ଗୀକୃତ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ସିଂହାରପୁର ପଞ୍ଚାୟତରେ ଗୋଷ୍ଠୀକେନ୍ଦ୍ର ଓ ମିଶନଶକ୍ତି ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଜଗତସିଂହପୁର ପୌରାଞ୍ଚଳର ୱାର୍ଡ ନଂ-୨ ବଡ଼ବାଗଠାରେ କଂକ୍ରିଟ୍‌ ରୋଡ୍‌, ବଡ଼ବାଗ ମୁଣ୍ଡାସାହିଠାରେ କମୁ୍ନିଟି ଟଏଲେଟ୍‌ ଓ ସାନବଜାରଠାରେ ମୁ୍ନିସିପାଲିଟି କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ।