ଗଞ୍ଜାମ ଜିଲ୍ଲାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ପଂଚାୟତିରାଜ ଓ ପାନୀୟ ଜଳ, ଆଇନଳ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଗଞ୍ଜାମ ଜିଲ୍ଲାର ବିିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି କ୍ରମରେ ମନ୍ତ୍ରୀ ଜେନା ଗୋପାଳପୁର ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡର ଆସିସି ଡ୍ରେନ୍ ସହ କଲଭର୍ଟ , ୱାର୍ଡ ନଂ୭ର କଭର ଡ୍ରେନ, ୱାର୍ଡ ନଂ ୬ରେ ଓସିଟି କଲେଜ ସମ୍ମୁଖରେ ଗୋପାଳପୁର ଶେଷ ପର୍ଯ୍ୟନ୍ତ ଆରସିସି ଡ୍ରେନ, ୱାର୍ଡ ୫ରେ ବି. ଜୟାଙ୍କ ଘରଠାରୁ ଜି. ଜଗନ୍ନାଥଙ୍କ ଘର ପର୍ଯ୍ୟନ୍ତ ସିସି ରାସ୍ତା, ଗୋପାଳପୁର ସମୁଦ୍ରକୂଳଠାରେ ସାଧାରଣ ଶୌଚାଳୟ, ଗୋପାଳପୁର ଏନଏସିର ଆହାରକେନ୍ଦ୍ରର ପଛପାଶ୍ୱର୍ରେ ସାମୂହିକ ଶୌଚାଳୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ସେହିପରି ଗୋପାଳପୁର ଏନଏସିର ଷ୍ଟାଫ୍ କ୍ୱାର୍ଟର୍ସ ଓ ଷ୍ଟୋର ରୁମ୍, ୱାର୍ଡ ନଂ୭ରେ ସାଇବାବା ସାହିର ପଛପାଖରେ ଏନସିସିର ଶିଳାନ୍ୟାସ କରିଛନ୍ତି । ଗୋପାଳପୁର ଏନଏସିରେ ଏହି ସବୁକାର୍ଯ୍ୟ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ହେବ ।

ମନ୍ତ୍ରୀ ଶ୍ରୀ ଜେନା ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଙ୍ଗେଇଲୁଣ୍ଡା ପଂଚାୟତ ସମିତିର ନୂତନ କାର୍ଯ୍ୟାଳୟ ଶୁଭ ଉଦଘାଟନ କରିଥିଲେ । ପରେ ମନ୍ତ୍ରୀ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଓ ସୌରଶକ୍ତି ବ୍ୟବସ୍ଥାର ଶୁଭ ଉଦଘାଟନ ଏବଂ ସିଟି ସର୍ଭେଲାନ୍ସ ନେଟୱାର୍କର ଶିଳାନ୍ୟାସ କରିଥିଲେ । ବ୍ରହ୍ମପୁର ଟାଉନହଲଠାରେ ସାମାଜିକ ନିରାପତା ଯୋଜନାରେ ‘ସ୍ୱାଭିମାନ ସ୍ୱୟଂ ସହାୟକ ଗୋଷ୍ଠୀ’ର ୧୩ଜଣ ହିତାଧିକାରୀଙ୍କୁ ପେନସନ କାର୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ଓ ନବୀକରଣ ହୋଇଥିବା ଟାଉନହଲର ଲୋକାର୍ପଣ ସହ ବ୍ରହ୍ମପୁର କର୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକକ ବାତାୟନ ବ୍ୟବସ୍ଥାର ଉଦଘାଟନ ଏବଂ ବିଭିନ୍ନ ଯୋଜନାର ଭିିତିପ୍ରସ୍ତର ସ୍ଥାପନ କରିଥିଲେ । ୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧ ଲକ୍ଷ ୨୦ ହଜାର କରି ଆବର୍ତନ ପାଣ୍ଡି ପ୍ରଦାନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଗୋଡିସିଙ୍ଗାଠାରେ ଏକକ ବାତାୟନ ବ୍ୟବସ୍ଥା ଓ ଆସିକା କଲେଜ ଛକଠାରେ ପାଣିଟାଙ୍କିକୁ ମନ୍ତ୍ରୀ ଶ୍ରୀ ଜେନା ଶୁଭ ଉଦଘାଟନ କରିଥିଲେ । ମନ୍ତ୍ରୀ ଜେନା ଏହାପରେ ବାରଗାଁ ପଂଚାୟତ ମୁଖ୍ୟାଳୟଠାରେ ହରିଜନ ସାହି କଲ୍ୟାଣ ମଣ୍ଡପ, ନୂଆସାହି ଗୋଷ୍ଠୀ କେନ୍ଦ୍ର, ବଡସାହି ନାମ ମଣ୍ଡପ, ଶିଶୁ ଉଦ୍ୟାନ, କଲ୍ୟାଣ ମଣ୍ଡପ ଏବଂ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଥିଲେ । ଏଥିସହ ସେ ଆସିକା ଏନଏସିର ଗଣେଶପାଟଠାରେ କଲ୍ୟାଣ ମଣ୍ଡପ, ଆଡପ ମଣ୍ଡପର ପଛପାଶ୍ୱର୍ରେ କଲ୍ୟାଣ, ଅଙ୍ଗନୱାର୍ଡ କେନ୍ଦ୍ର, ବିଜୁ ପଟ୍ଟନାୟକ ଗୋଷ୍ଠୀ କେନ୍ଦ୍ର ଏବଂ ସୂଚନା କେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ । ସୋରଡା ଏନଏସିର ୩ ନଂ ୱାର୍ଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେ୍ଲକ୍ସ ଓ ୱାର୍ଡ ନଂ ୧୫ର ମାଳତୀ ତୁଠ ଦେଇ ପାଭେର ବ୍ଲକ ରାସ୍ତା ଏବଂ ଶିଶୁ ଉଦ୍ୟାନ ନିକଟରେ ପ୍ରବେଶପଥର ଶିଳାନ୍ୟାସ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶେୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲା ପରିଷଦ ସଭାପତି ସୁମନ ପଲାଇ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍ ଉଷାରାଣୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତୀ ସିଂ ରାଠୋରଙ୍କ ସମେତ ବହୁ ଜନସାଧାରଣ, ବୁଦ୍ଧିଜୀବୀ, ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାର ପଂଚାୟତିରାଜ ପ୍ରତିନିଧି, ସମ୍ପୃକ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।