ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ରାଜନୀତିକ ରଣନୀତି ବିଶାରଦ ପ୍ରଶାନ୍ତ କିଶୋର ଆଜି ଜନତା ଦଳ (ୟୁ)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ପାଟନାଠାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଆଜିଠାରୁ ତାଙ୍କର ନୂଆ ରାଜନୀତିକ ଯାତ୍ରା ଆରମ୍ଭ ହେଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଏବଂ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ବିଜୟ ପଛରେ ପ୍ରଶାନ୍ତ କିଶୋରଙ୍କ ବିଶେଷ ଭୂମିକା ଥିଲା । ଭାରତୀୟ ରାଜନୀତି କ୍ଷେତ୍ରକୁ ଆସିବା ପୂର୍ବରୁ ସେ ଜାତିସଂଘ ସହ ସମ୍ପୃକ୍ତ ଥିଲେ । ୨୦୧୨ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ତୃତୀୟ ଥର ବିଜୟ ପାଇଁ ତାଙ୍କୁ ସେ ମାର୍ଗଦର୍ଶନ କରାଇଥିଲେ । ସେହିପରି ବିହାରରେ ନୀତୀଶ କୁମାରଙ୍କ ୩ୟ ଥର ବିଜୟ ପଛରେ ପ୍ରଶାନ୍ତ କିଶୋରଙ୍କ ଭୂମିକା ଉଲ୍ଲେଖନୀୟ ଥିଲା । ସେ ଭାରତୀୟ ରାଜନୀତିରେ ଏକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ିଟିଜେନ୍ସ ଫର୍ ଆକାଉଣ୍ଟେବଲ ଗଭର୍ଣ୍ଣାନ୍ସର ପରିକଳ୍ପନା କରିଥିଲେ । ଯୁବ ବୃତ୍ତିଧାରୀଙ୍କୁ ନେଇ ଏହି ଗ୍ରୁପ୍ ଗଠନ କରାଯାଇଥିଲା । ଏହି ଗ୍ରୁପ୍ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲା ।