ବିଜେଡିରେ ବବି,ସଞ୍ଜୟ ଓ ପ୍ରତାପ ଦେବଙ୍କୁ ଗୁରୁଦାୟିତ୍ୱ

ସୃଷ୍ଟିହେଲା ସଂଗଠନ ସଂପାଦକ ପଦ , ବିଜେଡି ସଂଗଠନ ସମ୍ଭାଳିବେ ପ୍ରଣବ ପ୍ରକାଶ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ୱ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଆଜି ତାଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପଦରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ତାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ( ମୁଖ୍ୟାଳୟ) ପଦରେ ନିଯୁକ୍ତି ଦିଆଯାଇଛି । ଦଳରେ ପ୍ରଥମ ଥର ପାଇଁ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ସୃଷ୍ଟି କରାଯାଇଛି ।
ଅନ୍ୟପକ୍ଷରେ, ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡ଼ିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଂଗଠନିକ ନିର୍ବାଚନ ସେ ପରିଚାଳନା କରିବେ ।
ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ମୁଖ୍ୟମନ୍ତ୍ରୀଙ୍କର ଜଣେ ସଚ୍ଚା ଅନୁଗତ ଓ ବିଚକ୍ଷଣ ସଂଗଠକ ଏହା ପ୍ରମାଣିତ କରିଛନ୍ତି । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ୍ ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ତାଙ୍କର ଗୋଟିଚାଳନା ଦଳ ପାଇଁ ବହୁ ସଫଳତା ଆଣିଛି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ଯଥେଷ୍ଟ ଉଦାହରଣ ଦେଖିବାକୁ ମିଳିଥିଲା ।
୨୦୦୯ ମସିହାରେ ପ୍ରଥମ ଥର ପାଇଁ ଯାଜପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ । ଦ୍ୱିତୀୟ ଥର ବିଧାୟକ ହେବା ପରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ଅତ୍ୟନ୍ତ ଦକ୍ଷତାର ସହ ସେ ସେହି ଦାୟିତ୍ୱକୁ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଥର ଯାଜପୁରରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବବି ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ଗ୍ରହଣ ନ କରି ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବାକୁ ଆଗ୍ରହୀ ହୋଇଥିବା ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦଳୀୟ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଛନ୍ତି ।