ଓଲିଉଡକୁ ଫେରୁଛନ୍ତି ପ୍ରକୃତି

ଭୁବନେଶ୍ୱର: ବହୁଦିନର ବ୍ୟବଧାନ ପରେ ପୁଣିଥରେ ଓଲିଉଡକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । “ପଗଲୁ” ଫିଲ୍ମ ଜରିଆରେ ସେ ପୁଣିଥରେ ସିଲଭର ସ୍କ୍ରିନରେ ଦର୍ଶକଙ୍କ ନିକଟରେ ପହଂଚିବେ । ଯେଉଁଥିରେ ପ୍ରଯୋଜକ ଭାବେ କାମ କରୁଛନ୍ତି ଜଗନ୍ନାଥ ପାଟଯୋଶୀ ମହାପାତ୍ର । ଏହି ଫିଲ୍ମରେ ରାମ ପ୍ରସାଦ ସାମଲ ନିର୍ଦ୍ଦେଶକ ଭାବେ କାମ କରିବାବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବେ ଅଭିଜିତ୍ ମଜୁମଦାର ।

ଏହି ଫିଲ୍ମରେ ପ୍ରକୃତିଙ୍କ ଅପୋଜିଟରେ ଦେଖାଦେବେ ନବାଗତ ଅଭିଷେକ ବେଉରା । “ପଗଲୁ” ଫିଲ୍ମରେ ଅନୀଷାଙ୍କ ଭୂମିକାରେ ଆସିବେ ପ୍ରକୃତି । ଯେ କି ଜଣେ ମୁସଲିମ୍ ଯୁବତୀ । ଫିଲ୍ମଟି ଏକ ପ୍ରେମ କାହାଣୀକୁ ନେଇ ଗଢ଼ିଉଠିବ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ଏମାନଙ୍କ ବ୍ୟତୀତ ମିହିର ଦାସ, ଅପରାଜିତ, ଦୈତାରୀ ପଣ୍ଡା ଓ ପପୁ ପମପମ ଭଳି କଳାକାରମାନେ ପ୍ରମୁଖ ଭୂମିକା ତୁଲାଇବେ ।

ସୂଚନାଯୋଗ୍ୟ, ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍ ଦେଇଥିଲେ ସୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ ଥୁକୁଲ୍ ’(୨୦୧୨)ରେ। ଏହାପରେ ସେ ‘ପ୍ରେମିକା’, ‘ ଓମ୍ ସାଇ ରାମ୍ ’, ‘ ଏସିପି ସାଗରିକା ’ ‘ଓମ୍ -ଆଇ ଆମ୍ ନଟ୍ ଏ ଗଡ୍ ’ ଏବଂ ‘ ମିଠା ମିଠା ’ଆଦି ଓଡ଼ିଆ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିଲେ । ଏହାବ୍ୟତୀତ ହିନ୍ଦୀ ସିରିଏଲ “ ବିଟି ବିଜନେସ୍ ୱାଲି” ରେ ଲିଡ ରୋଲରେ ଓ ରିଆଲିଟି ଶୋ’ “ଏସ୍ ଅଫ୍ ସ୍ପେଶ୍‌-୨” ରେ ମଧ୍ୟ ପ୍ରତିଯୋଗୀ ଭାବେ କାମ କରିସାରିଛନ୍ତି ପ୍ରକୃତି ।