କଟକ: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ। ସେଥିପାଇଁ କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଆଜି ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି। ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟକୁ ପକ୍କା କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କୁ କଟକରୁ ଲଢ଼ିବା ପାଇଁ ଦଳ ପକ୍ଷରୁ କୁହାଯାଇଛି। ତେବେ ସେ ଦଳରେ କେଉଁଦିନ ଆନୁଷ୍ଠାନିକ ଭାବେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ କୁହାଯାଇନାହିଁ। ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ଥିଲା, ଯାହାକି ପରେ ହାଇକୋର୍ଟରେ ଖାରଜ ହୋଇଥିଲା। କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡ଼ା ଟିପ୍ପଣୀ ଦେଇଥିଲେ।