ଝରିଗାଁ ବିଧାନସଭା ଆସନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଉଲ୍ଲଧର ମାଝୀଙ୍କୁ ପରାଜିତ କରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ବିଜେପିର ପର୍ଶୁରାମ ମାଝୀ। ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳି ନୂତନ ଭାବେ ୨୦୦୯ ମସିହାରେ ଗଠିତ ହୋଇଥିଲା। ତା’ପରଠାରୁ ଲଗାତର ୨ ଥର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଏହି ଆସନରୁ ବିଜୟୀ ହୋଇଥିଲେ। ସେ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ସେ ଏଥର ନବରଙ୍ଗପୁର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବାରୁ ପ୍ରକାଶଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଥିଲା।

୭୩ ରାଉଣ୍ଡ୍‌ ଗଣତି ପରେ ପ୍ରକାଶ ପାଇଛନ୍ତି ୭୫ ହଜାର ୫ ଶହ ୩୫ ଖଣ୍ଡ ଭୋଟ୍‌। କଂଗ୍ରେସକୁ ମିଳିଛି ୪୬୦୯୧ ଖଣ୍ଡ ଭୋଟ୍‌ ଏବଂ ବିଜେପିକୁ ୩୯୮୩୭ ଖଣ୍ଡ ଭୋଟ୍‌ ମିଳିଛି। ତେବେ, ଏହି ଭୋଟ୍‌ରେ ପୋଷ୍ଟାଲ୍‌ ବାଲାଟ୍‌ ହିସାବ କରାଯାଇ ନାହିଁ।