ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆପଣାଉ ୫ଟି : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ରାଜ୍ୟ ସରକାର ଏବେ ସବୁ ବିଭାଗରେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି ଟି, ଟ୍ରାନସପରେନ୍ସି ଓ ଟାଇମ କୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁକରନ୍ତୁ । ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାରର ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି । ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୁଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ତିଆରି ହୋଇଥିଲା ତାହା ଆଜିବି ସେହି ସନ୍ଦେହରେ ହିଁ ରହିଛି । ତୁରନ୍ତ ଏହାକୁ ଖୋଲି ଯାଂଚ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଓ ପୁରା ସ୍ୱଛତାର ସହିତ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେବା ସହିତ ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ଏବେର ତାଲିକାର ସହିତ ତାଳମେଳ କରାଯାଉ । ଏବେର ତାଲିକାକୁ ସାର୍ବଜନିନ କରି ସାଧାରଣ ଲୋକମାନଙ୍କର ମନରେ ଥିବା ସନ୍ଦେହକୁ ଦୁର କରାଯାଉ ।
ମାର୍ଚ୍ଚ ୨୨, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବିଭିନ୍ନ ଆଡେ ପ୍ରତିବାଦ ହେବାରୁ ରାଜ୍ୟ ସରକାର ଜୁନ ୮, ୨୦୧୮ରେ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ । କୁଆଡେ ଗଲା ସେହି ରିପୋର୍ଟ ? ଧାର୍ଯ୍ୟ ହୋଇଥିବା ୩ ମାସ ସ୍ଥାନରେ କମିଶନ ୬ ମାସରେ ରିପୋର୍ଟ ଦେଲେ । ହେଲେ ରାଜ୍ୟ ସରକାର ତାକୁ ତର୍ଜମା କରିବା ନାଁରେ ଏବେ ଯାଏଁ ଗୋପନ ରଖିଛନ୍ତି ବୋଲି ପ୍ରଦୀପ୍ତ କହିଛନ୍ତି । ରତ୍ନଭଣ୍ଡାର କେବେ ଖୋଲାଯିବ ରାଜ୍ୟ ସରକାର ଏହା ଉପରେ କିଛି ପଦକ୍ଷେପ ନେଉନାହାନ୍ତି । ରତ୍ନ ଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବା ପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନେଇ ତାକୁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାର ଦୁର କରିବାର ଆବଶ୍ୟକତା ଅଛି ବୋଲି ପ୍ରଦୀପ୍ତ କହିଛନ୍ତି ।