ପଞ୍ଚଭୂତରେ ବିଲୀନ ମହାରଥୀଙ୍କ ମରଶରୀର, ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହୋଇଛି ପିପିଲି ବିଧାୟକ ତଥା ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କର ପାର୍ଥିବ ଶରୀର । ସ୍ୱର୍ଗଦ୍ୱାରରେ ପ୍ରଦୀପଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରୁଦ୍ର ମହାରଥୀ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି ।

ଦେହାନ୍ତ ପରେ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କର ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ବିଧାନସଭାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ । ତାଙ୍କ ବିୟୋଗ ଓଡିଶା ରାଜନୀତି ତଥା ବିଜେଡି ପାଇଁ ଅପୂରଣୀୟ କ୍ଷତି । ୧୯୫୫ ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିରେ ଜନ୍ମଗ୍ରହଣ କରିଥିଲେ ମହାରଥୀ ।