“ସୃଜନଶୀଳତାର ବିକଳ୍ପ ଟେକ୍ନଲୋଜି ହୋଇପାରିବନି”

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି ଜେନେରାଲ୍‍ ମ୍ୟାନେଜର ଆଶୁତୋଷ ରଥ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଭାରତୀୟ ଲୋକସମ୍ପର୍କ ସମାଜ (ପିଆର୍‍ଏସ୍‍ଆଇ) ସହଯୋଗରେ ଅନୁଷ୍ଠିତ ହୋଇଛି ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଶୀର୍ଷକ ରାଉଣ୍ଡ ଟେବୁଲ୍‍ । ଏଥିରେ ବକ୍ତାଭାବେ ଯୋଗଦେଇ ଶ୍ରୀ ରଥ କହିଛନ୍ତି, ଦିନକୁ ଦିନ ଟେକ୍ନଲୋଜି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ (ଏଆଇ) ବୈଷୟିକ ଜ୍ଞାନ କୌଶଳକୁ ଆଉ ପାଦେ ଆଗେଇନେଇଛି । ଏଆଇ ମାଧ୍ୟମରେ ଖବର ଉପସ୍ଥାପନା ସମ୍ଭବ ହୋଇପାରୁଛି । ଏସବୁ ସତ୍ତ୍ୱେ ବି ଲୋକଙ୍କ ଭିତରେ ଥିବା ଦକ୍ଷତା ସବୁଠୁଁ ଶ୍ରେଷ୍ଠ । କାରଣ, ସୃଜନଶୀଳତାର ଶକ୍ତି ଢେର ଉପରେ । ତା’ର କୌଣସି ଅନୁକୃତି ସମ୍ଭବ ନୁହେଁ । ତେବେ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରଗତି ହେତୁ ଲୋକସମ୍ପର୍କ ଅଧିକାରୀଙ୍କ ଆଗରେ ଅନେକ ଆହ୍ୱାନ ରହିଛି । ପ୍ରଥମତଃ ଏଆଇ କାରିଗରୀ ବିଦ୍ୟାର ଆଗମନ ଫଳରେ ଟାର୍ଗେଟ୍‍ ଅଡିଏନ୍ସ ତଥା ସେମାନଙ୍କ ରୁଚି ଜାଣିବା ସମ୍ଭବ ହୋଇପାରୁଛି । ପୂର୍ବରୁ ଏହି କାର୍ଯ୍ୟ ଲୋକସମ୍ପର୍କ ଅଧିକାରୀଙ୍କୁ କରିବାକୁ ପଡୁଥିଲା । ଆଜିକାଲି ଇଣ୍ଟରନେଟ୍‍ରେ ଅଗଣିତ ତଥ୍ୟ ଉପଲବ୍ଧ । ଏଥିମଧ୍ୟରୁ ପୁଣି ୯୦ ପ୍ରତିଶତ ତଥ୍ୟ ଗତ ଦୁଇ ବର୍ଷ ଭିତରେ ଅପ୍‍ଲୋଡ୍‍ ହୋଇଛି । ଆଗକୁ ଆହୁରି ତଥ୍ୟ ମିଳିପାରିବ । ଏମିତି ଏକ ସ୍ଥିତିରେ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ବଢ଼ିଯାଇଛି । ପ୍ରେସ୍‍ ବିଜ୍ଞପ୍ତିର ଶୈଳୀ ମଧ୍ୟ ବଦଳିିଛି । ଏଣୁ ଲୋକସମ୍ପର୍କ ଅଧିକାରୀମାନେ ଭିଜୁଆଲ୍‍ କଣ୍ଟେଣ୍ଟ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହାସହ ଲାଇଭ୍‍ ଷ୍ଟ୍ରିମିଂ, ଭର୍ଚୁଆଲ୍‍ ରିଅଲିଟି ପରି ବିଭବ ବିଷୟରେ ଅଧିକରୁ ଅଧିକ ଜାଣିବା ସହ ଏହାକୁ ଗୁରୁତ୍ୱ ଦେବା ଜରୁରୀ । ସେହିପରି ସାମାଜିକ ଗଣମାଧ୍ୟମର ବହୁଳ ଆଦୃତି ପରେ ଏହାକୁ ଏକ ଶକ୍ତ ଲୋକସମ୍ପର୍କ କୌଶଳଭାବେ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଏସବୁ ଉପରେ ଲୋକସମ୍ପର୍କ ଅଧିକାରୀମାନେ ଧ୍ୟାନ ଦେବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମର ଅନ୍ୟତମ ବକ୍ତାଭାବେ ଯୋଗଦେଇ ରିଲାଏନ୍ସ ଜିଓ କର୍ପୋରେଟ୍‍ କମ୍ୟୁନିକେଶନର ଉପସଭାପତି ରୋହିତ ଦୁବେ କହିଛନ୍ତି, ଲୋକସମ୍ପର୍କ ଏକ ଚତୁର କାର୍ଯ୍ୟ । ତେବେ ବର୍ତ୍ତମାନ ବିଷୟବସ୍ତୁର ଉପସ୍ଥାପନା ଶୈଳୀ ବଦଳିବାରେ ଲାଗିଛି । ଅନେକ ସଂସ୍ଥା ଷ୍ଟୋରୀ ଟେଲିଂ ବା ନିଜ ବ୍ରାଣ୍ଡ୍‍ ତଥା ବାସ୍ତବ ଜୀବନର କାହାଣୀ କହିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଅର୍ଥାତ୍‍ ଭିଜୁଆଲ୍‍ କ୍ୟାମ୍ପେନ୍‍ର ସବୁଠୁଁ ଅଧିକ ଚାହିଦା ରହିଛି । ଏହାର ସଫଳତା ଲୋକସମ୍ପର୍କ ଅଧିକାରୀଙ୍କ ଉପରେ ନିର୍ଭର କରୁଛି । ଏଣୁ ଏ କଳା ଲୋକସମ୍ପର୍କ ଅଧିକାରୀଙ୍କୁ ଜାଣିବା ଆବଶ୍ୟକ ।

ଅନ୍ୟତମ ବକ୍ତା ଆଦିତ୍ୟ ବିର୍ଲା ଗ୍ରୁପ୍‍ର କର୍ପୋରେଟ୍‍ ଆଫେୟାର୍ସ ଏଭିପି ଶଶାଙ୍କ ପଟ୍ଟନାୟକ କହିଛନ୍ତି, ଲୋକସମ୍ପର୍କ ଏକ ଚଳଚଞ୍ଚଳ କ୍ଷେତ୍ର । ଏ ବିଷୟଟି ବହୁତ ବଡ଼ ଓ ଏହାର ଅନେକ ଦିଗ ରହିଛି । ଜନତା, ସରକାର ଓ କର୍ପୋରେଟ୍‍ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ଉପରେ ଲୋକସମ୍ପର୍କ ଏବେ ଅଧିକ ଗୁରୁତ୍ୱ ଦେଉଛି । ଲୋକସମ୍ପର୍କ ଅଧିକାରୀଙ୍କୁ ବିଭିନ୍ନ ଷ୍ଟେକ୍‍ହୋଲ୍ଡରଙ୍କ ସହ ଯୋଗଯୋଗ କରିବାକୁ ପଡୁଛି । ଏଣୁ ଲୋକସମ୍ପର୍କ ଅଧିକାରୀମାନେ ପ୍ରଥମେ ଜଣେ ଭଲ ଯୋଗାଯୋଗକାରୀ ହେବା ଉଚିତ । ଏହାସହ ସେମାନଙ୍କର ଉପସ୍ଥିତ ବୁଦ୍ଧି ସହ ଧୈର‌୍ୟ୍ୟଶକ୍ତି ରହିବା ଦରକାର । ସେ ଯାହାହେଉ ବର୍ତ୍ତମାନର ସମ୍ବେଦନଶୀଳ ଯୁଗରେ ନକାରାତ୍ମକ ଦିଗକୁ ଅନେକେ ପ୍ରାଧାନ୍ୟ ଦେଉଛନ୍ତି । ଏ ସ୍ଥିତିରେ ସଂସ୍ଥାର ଯଶ ରକ୍ଷା କରିବା ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ସେ ପ୍ରକାଶ କରିଛନ୍ତି ।

ରାଉଣ୍ଡ ଟେବୁଲ୍‍ର ବିଷୟବସ୍ତୁ ଉପରେ ଆଲୋକପାତ କରି ସୁଲେଖକ ତଥା ହିନ୍ଦୁସ୍ଥାନ ଫର୍ଟିଲାଇଜର୍ସର ପୂର୍ବତନ କର୍ପୋରେଟ୍‍ କମ୍ୟୁନିକେଶନ ଜେନେରାଲ୍‍ ମ୍ୟାନେଜର ସୁବୀର ଘୋଷ କହିଛନ୍ତି, ଗତ ୩୦ ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ବେଶ୍‍ ଅଗ୍ରଗତି ହୋଇଛି । ଏହାସହ ତାଳ ଦେଇ ଲୋକସମ୍ପର୍କର କୌଶଳରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ପୂର୍ବରୁ ଖବରଟିଏ ପାଇବା ପାଇଁ ଲୋକଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଇଣ୍ଟରନେଟ୍‍ର ଆଗମନ ଏହାକୁ ଖୁବ୍‍ ସହଜ କରିଦେଇଛି । ଆଙ୍ଗୁଠି ଟିପରେ ଲୋକେ ଏବେ ଖବର ପାଇପାରୁଛନ୍ତି । ଏମିତି ସ୍ଥିତିରେ ଲୋକସମ୍ପର୍କ ଅଧିକାରୀଙ୍କୁ ଦିନରାତି ସକ୍ରିୟ ରହିବାକୁ ପଡୁଛି । ସଂସ୍ଥା ବିପକ୍ଷରେ ଯଦି କେଉଁ ସାମାଜିକ ଗଣମାଧ୍ୟମ ମଞ୍ଚରେ କୌଣସି ସୂଚନା ମିଳୁଛି, ତେବେ ନିରବ ନରହି ତାର ପ୍ରତିକ୍ରିୟା ହେବା ଉଚିତ । ବିପତ୍ତି ଆସିବା ପୂର୍ବରୁ ତାକୁ ଟାଳିବାର ଦିଗରେ ଲୋକସମ୍ପର୍କ ଅଧିକାରୀ ଚେଷ୍ଟା କରିବା ଦରକାର ବୋଲି ସେ କହିଛନ୍ତି ।

ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପିଆର୍‍ଏସ୍‍ଆଇର ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସଞ୍ଜୟ ସାହୁ ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ଓଡ଼ିଆ ନାଟକ ‘ବଳିଦାନ’ର ପୋଷ୍ଟର ଉନ୍ମୋଚିତ ହୋଇଛି । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।