ପିଆଜ ପରେ ଆଳୁକୁ ନେଇ ଚିନ୍ତାରେ ଖାଉଟି

ଭୁବନେଶ୍ୱର: ପିଆଜ ଦର ଏବେ ଆସ୍ତେ ଆସ୍ତେ ହ୍ରାସ ପାଇଥିବାବେଳେ ଆଳୁର ଦର ବୃଦ୍ଧି ପାଇବା ନେଇ ଚିନ୍ତାରେ ଅଛନ୍ତି ଖାଉଟି । ବଜାରକୁ ନୂଆ ଆଳୁ ଆସିବା ସତ୍ୱେ ମଧ୍ୟ ଦର କେଉଁ କାରଣରୁ ବଢ଼ୁଛି, ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଅଭିଯୋଗ ଆସୁଛି ଯେ, ଶୀତଳଭଣ୍ଡାରରେ ବଡ଼ ବଡ଼ ବ୍ୟବସାୟୀମାନେ ଆଳୁକୁ ସଂରକ୍ଷିତ ରଖି ଖାଉଟିମାନଙ୍କୁ ହନ୍ତସନ୍ତ କରୁଛନ୍ତି । ଯାହା ଫଳରେ ଖୁଚୁରା ବ୍ୟବସାୟୀ ଏବଂ ଖାଉଟିମାନେ ଏହାର ଶିକାର ହେଉଛନ୍ତି । ପାଇକାରୀ ଦର ୨୨ଟଙ୍କାରେ କିଣି ୩୨ ଟଙ୍କାରେ ବିକୁଛନ୍ତି। ଯୋଗାଣ ବିଭାଗ ହାତବାନ୍ଧି ବସିଥିବା ମଉକାରେ ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷି ଚାଲିଛନ୍ତି।

ପିଆଜର ପାଇକାରୀ ଦର ୪୫ଟଙ୍କାକୁ ଖସି ଆସିଛି। ମାତ୍ର ଖୁଚୁରା ବଜାରରେ କିଲୋ ୭୦ଟଙ୍କାରୁ କମୁ ନାହିଁ। ରବିବାର କ୍ୟାପିଟାଲ ହାଟରେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଖଣ୍ଡଗିରି ଭଳି ରାଜଧାନୀର ଅନ୍ୟ ଛୋଟ ଛୋଟ ସାପ୍ତାହିକ ହାଟରେ ଦାମ ୩୫ ଟଙ୍କା ଥିଲା। ସେହିଭଳି କ୍ୟାପିଟାଲ ହାଟରେ ପିଆଜ କିଲୋ ୫୫ଟଙ୍କାରେ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ହାଟ‌ରେ ଦର ୭୦ ଟଙ୍କା ରହିଛି। ମାତ୍ର ଏସବୁ ତଦାରଖ ପାଇଁ କେହି ନାହିଁ। ଯୋଗାଣ ବିଭାଗର ମାର୍କେଟିଂ ଇନ୍‌‌ସ୍ପ‌େକ୍ଟରମାନଙ୍କ ସହ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନାହିଁ।