ପିଆଜ ପରେ ଆଳୁ ପାଳି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ପିଆଜ ପରେ ଆଳୁ ପାଳି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଗତକାଲି ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ଦିନେ ଦୁଇ ଦିନ ପୂର୍ବେ ଆଳୁ ଦର କିଲୋ ପିଛା ୧୭ ରୁ ୧୮ ଟଙ୍କା ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୨୪ ରୁ ୧୫ ଟଙ୍କା ହୋଇଯାଇଛି । ଗୋଟିଏ ଦୁଇ ଦିନ ଭିତରେ ଏକାବେଳେ ୭ ରୁ ୮ ଟଙ୍କା ବୃଦ୍ଧି ପାଇବା ନେଇ ଗ୍ରାହକଙ୍କ ମନରେ ଚିନ୍ତା ବଢ଼ିବାରେ ଲାଗିଛି ।

ଦୁଇ ଦିନ ପୂର୍ବେ କୁବେରପୁରୀରେ ଆଳୁର ପାଇକାରୀ ଦର କିଲୋ ପିଛା ୧୨ ଟଙ୍କାରୁ ୧୪ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୧୭ ରୁ୧୮ ଟଙ୍କା ପଡ଼ୁଥିଲା। ମାତ୍ର ଆଜି ହଠାତ୍ ପାଇକାରୀ ଦର ବୃଦ୍ଧି ଘଟିଛି। ପାଇକାରୀ ଦର କିଲୋ ପିଛା ୧୮ ଟଙ୍କା ହୋଇଥିବା ଜଣାପଡ଼ିଛି। ଭଲମାନର ଆଳୁ ୨୦ ଟଙ୍କା ହୋଇଛି। ତେଣୁ ଖୁଚୁରା ବଜାରରେ ଆଜି ଆଳୁ କିଲୋ ୨୪ରୁ୨୫ ଟଙ୍କା ଦରରେ ବିକ୍ରି ହେଉଛି। ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଦଙ୍ଗାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି ଓ ଏହା ଏକ ସାମୟିକ ଦରବୃଦ୍ଧି ବୋଲି କହିଛନ୍ତି। ଦୁଇ ଚାରି ଦିନ ଭିତରେ ଆଳୁ ଦର ପୁଣି ସ୍ୱାଭାବିକ ହୋଇଯିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଏହି ଦରବୃଦ୍ଧି ଅମଳ ଜନିତ ନୁହେଁ। ଏହା ପରିବହନ ସମସ୍ୟା ଜନିତ। ତେଣୁ ଆଶଙ୍କା କରିବାର କିଛି ନାହିଁ। ନାଗରିକ ବିଲ୍‌କୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ଗଣ୍ଡଗୋଳ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଆଳୁ ପରିବହନ ମଧ୍ୟ ବାଧାପ୍ର‌ାପ୍ତ ହୋଇଛି। ଫଳରେ ୫ ଶହ ଟନ୍‌ ସ୍ଥାନରେ ମାତ୍ର ୨ ଶହ ଟନ୍‌ ଆଳୁ ଆମଦାନି ହୋଇପାରିଛି। ଗଣ୍ଡଗୋଳିଆ ପରିସ୍ଥିତିରେ ସୁଧାର ଆସିଲାଣି ଓ ଏହା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଯିବ। ତେଣୁ ଆଉ ଦୁଇ ଚାରି ଦିନ ପରେ ଆପେ ଆପେ ସ୍ୱାଭାବିକ ଦର ହୋଇଯିବ ବୋଲି ସେ କହିଛନ୍ତି। ତେବେ ସମ୍ପ୍ରତି ସବୁ ଖାଉଟି ଜିନିଷର ଦରଦାମ୍‌ ଯେଉଁଭଳି ହୁ ହୁ ହୋଇ ବଢ଼ି ଚାଲିଛି ଓ ଥରେ ବଢ଼ିଲେ କମିବା ନାଁ ଧରୁନାହିଁ, ସେଥିରେ ଆଳୁ ଦରବୃଦ୍ଧି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି।