ଜେଟ୍‌ ଏୟାରେଓ୍ଵଜ୍‌ର ବିମାନସେବା ବନ୍ଦ ପରେ ଆକାଶ ଛୁଆଁ ହେଲା ଟିକେଟ ଦର

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଜେଟ୍‌ ଏୟାରେଓ୍ଵଜ୍‌ର ବିମାନସେବା ବନ୍ଦ ହୋଇଯିବା ପରେ ଦେଶରେ ବିମାନ ଯାତ୍ରୀ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି। ବିମାନ ଅଭାବ କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବିମାନ ଟିକେଟର ଦର ଆକାଶ ଛୁଆଁ ଭାବେ ବୃଦ୍ଧି ପାଇଛି।

ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌ରେ ଚଳାଚଳ କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ୧୨୪ଟି ବିମାନର ଉଡ଼ାଣ ବନ୍ଦ ହୋଇଯିବା ଫଳରେ ବିମାନ ସେବା କ୍ଷେତ୍ରରେ ଏପରି ଅଚଳାବସ୍ଥା ସୃଷ୍ଟି ହେବା ସହ ବିମାନ ଟିକେଟର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ଜାଣିବାକୁ ମିଳିଛି। ଆଜି ସକାଳେ ମୁମ୍ବାଇରୁ ଦିଲ୍ଲୀକୁ ବିମାନ ଟିକେଟ ୩୨ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ବେଳେ ଦିଲ୍ଲୀରୁ ମୁମ୍ବାଇକୁ ମଧ୍ୟ ବିମାନ ଟିକେଟର ମୂଲ୍ୟ ୩୨ ହଜାର ଥିଲା। ଉଲ୍ଲେଖଯୋଗ୍ୟ ପୂର୍ବରୁ ଏହି ଟିକେଟର ମୂଲ୍ୟ ୮ ହଜାର ଟଙ୍କା ଥିଲା। ଅନ୍ୟପକ୍ଷରେ ଦେଶର ଅନ୍ୟ ବଡ଼ ବଡ଼ ସହରର ମଧ୍ୟ ବର୍ତ୍ତମାନ ୨୦ ହଜାର ଟଙ୍କା ତଳକୁ ବିମାନ ଟିକେଟ ଉପଲବ୍ଧ ହେଉନାହିଁ। ଜେଟ୍‌ ଏୟାରେଓ୍ଵଜ୍‌ର ୧୨୪ଟି ବିମାନର ଉଡ଼ାଣ ବନ୍ଦ ହୋଇଯିବା ପରେ ବିମାନର ସଂଖ୍ୟା କମିଯାଇଥିବା ବେଳେ ଏବେ ବିମାନ ଟିକେଟ କିଣିବା ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାରୁ ବିମାନ ଟିକେଟ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା କହିଛନ୍ତି ବିମାନରେ ନିୟମିତ ଯାତ୍ରା କରୁଥିବା ବିପନ୍‌ ସିଂହ ନାମକ ଜନୈକ ଯାତ୍ରୀ।