ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏହାପରେ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବଢ଼ିବ କିନ୍ତୁ ପୁଣି ୧୮ରୁ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନୂଆପଡ଼ା, ଅନୁଗୁଳ, ବୌଦ୍ଧ ,କନ୍ଧମାଳ, ଯାଜପୁର, ଢେଙ୍କାନାଳ ଇତ୍ୟାଦି ଜିଲ୍ଲା ମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ । ୧୬ ଓ ୧୭ ତାରିଖରେ କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପାଗ କିଛି ସ୍ଥାନରେ ଶୁଖିଲା ରହିବ । ବର୍ଷା ପୁଣି ବଢ଼ିବ ବୋଲି ଆକଳନ କରାଯାଇଛି। ବର୍ଷା ସମୟରେ କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ବର୍ଷା କମିବ। ଦିନର ତାପମାତ୍ରା ବଢ଼ିବ। ତେବେ ୧୮ ତାରିଖଠାରୁ ପୁଣିଥରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ୨ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ଭବାନୀପାଟଣାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୩୬.୨, ବଲାଙ୍ଗୀର ଓ ନୟାଗଡ଼ରେ ୩୬, ମାଲକାନଗିରିରେ ୩୫.୮, ବୌଦ୍ଧରେ ୩୫.୫, ଭୁବନେଶ୍ୱରରେ ୩୫.୪ ଡିଗ୍ରି ରେକର୍ଡ ହୋଇଛି।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଗତ ୩୬ ଘଂଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୨୭.୬ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୨୩ ମିମି, ଫୁଲବାଣୀରେ ୧୧.୬ମିମି, କଟକରେ ୬.୪ମିମି, ବାଲେଶ୍ୱରରେ ୩.୬ମିମି, ବାରିପଦାରେ ୨.୨ ମିମି ବର୍ଷା ରେକର୍ଡ କରାଯାଇଛି।