ଅପରାହ୍ନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ଜାରି ଥିବା ବେଳେ, ଅପରାହ୍ଣ ୫ଟା ୩୦ ସୁଦ୍ଧା ଭୋଟିଂ ପ୍ରତିଶତ ଭଲ ଅଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏଯାଏଁ ଆମ ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ମୟୂରଭଂଜ ଲୋକସଭା ଆସନରେ ୬୬ ପ୍ରତିଶତ, ବାଲେଶ୍ୱରରେ ୬୪ ପ୍ରତିଶତ, ଭଦ୍ରକରେ ୬୮ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ, କେନ୍ଦ୍ରାପଡ଼ାରେ ୬୫ ପ୍ରତିଶତ ଓ ଜଗତସିଂହପୁରରେ ୬୪ ପ୍ରତିଶତ ମତଦାନ ହୋଇଛି। ପୋଲିଂ କର୍ମଚାରୀ ମାନେ ଆଜି ରାତି ସୁଦ୍ଧା ଫେରିବେ। ସେମାନେ ଫେରିବା ବେଳକୁ ରାତି ହୋଇଯାଇଥିବାରୁ କେତେ ପ୍ରତିଶତ ପୋଲିଂ ହେବ, ତାହା କହିବା ସହଜ ନୁହେଁ। ତେଣୁ ପୋଲିଂ ପ୍ରତିଶତ ବାବଦରେ ମଙ୍ଗଳବାର ମଧ୍ୟାହ୍ଣରେ କୁହାଯାଇପାରିବ।

ସମ୍ଭାବିତ ବାତ୍ୟାକୁ ନେଇ ଆମେ ପ୍ରସ୍ତୁତ ଅଛୁ ବୋଲି ସିଇଓ କହିଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ‘ଫନି’କୁ ନେଇ ଆମେ କ୍ରମାଗତ ନିର୍ବାଚନ ଆୟୋଗ ଓ ଜିଲ୍ଲାମାନଙ୍କରେ ନିର୍ବାଚନ ଅଧିକାରୀଙ୍କ ସହିତ ସଂପର୍କରେ ଅଛୁ।

ବିଗତ ଦିନରେ ହୋଇଥିବା ୩ଟି ପର୍ଯ୍ୟାୟ ତୁଳନାରେ ଚଳିତ ପର୍ଯ୍ୟାୟରେ ଭଲ ମତଦାନ ହେବ ବୋଲି ଆମେ ଆଶା କରୁଛୁ। ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ, କିଛି ପୋଲିଂ ବୁଥରେ ହିଂସା ଘଟିଛି ମାତ୍ର ଏହା କେତେ ଦୂର ସତ ବା ମିଛ ତାହା ପରେ ଜଣାପଡ଼ିବ। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଆମ କ୍ରମାଗତ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।