ଭୁବନେଶ୍ୱର: ଏଥର ଚାଳକମାନେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରମାଣପତ୍ର କରିବାପାଇଁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଗ୍ରାହକଙ୍କୁ ଏବେ ପୂର୍ବ ନିର୍ଦ୍ଧାରିତ ଉପରେ ୧୮ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ିବ। ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯିବ। ଏନେଇ ପରିବହନ କମିସନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ଟେଷ୍ଟିଂ ସେଂଟର ଜିଏସ୍ଟି ପଞ୍ଜୀକୃତ ହୋଇନଥିବ, ସେମାନେ ପିୟୁସି ପ୍ରମାଣପତ୍ର ଦେଇପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ‘ବାହନ’ ପୋର୍ଟାଲରେ ସେମାନେ ଜିଏସ୍ଟି ପଞ୍ଜୀକରଣ ବାବଦରେ ସମସ୍ତ ତଥ୍ୟ ଅପ୍ଲୋଡ୍ କରିବେ। ଏହି ପ୍ରକ୍ରିୟା ଶେଷ ହୋଇଥିବା ସମ୍ପୃକ୍ତ ଆରଟିଓମାନେ ନିଶ୍ଚିତ ହେବା ପରେ ସେହି କେନ୍ଦ୍ରଗୁଡ଼ିକୁ ଅନୁମତି ପ୍ରଦାନ କରିବେ। ଆରଟିଓଙ୍କ ଅନୁମତି ପାଇବା ପରେ କେନ୍ଦ୍ରଗୁଡ଼ିକ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଯୋଗ୍ୟବିବେଚିତ ହେବେ।
ପୂର୍ବରୁ ଏ ନେଇ ସିଟି (ବାଣିଜ୍ୟ କର)ଓ ଜିଏସ୍ଟି ଯୁଗ୍ମ କମିସନର୍ ପରିବହନ ବିଭାଗକୁ ଚିଠି ଲେଖିଥିଲେ। ପିୟୁସି ପ୍ରଦାନ କରୁଥିବା କୌଣସି କେନ୍ଦ୍ର ଜିଏସ୍ଟି ପ୍ରଦାନ କରୁନଥିବା ଉଲ୍ଲେଖ କରି ଜିଏସ୍ଟି ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶକୁ ଆଧାର କରି ପରିବହନ କମିସନର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେବା ପରେ ଦୁଇ ଓ ତିନିଚକିଆ ଯାନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୬୦ ଟଙ୍କା ଏବେ ବଢ଼ି ୭୦ ଟଙ୍କା ୮୦ ପଇସା ହୋଇଥିବା ବେଳେ ହାଲୁକା ଯାନ ପାଇଁ ଧାର୍ଯ୍ୟ ୧୦୦ ଟଙ୍କା ଏବେ ୧୧୮ଟଙ୍କା ହେବ। ସେହିପରି ଭାରୀଯାନ ପାଇଁ ଧାର୍ଯ୍ୟ ୧୫୦ ଟଙ୍କା ବଢ଼ି ୧୭୭ଟଙ୍କା ହେବ। ଗତବର୍ଷ ସେପ୍ଟେମ୍ବରରୁ ଏହି ପ୍ରମାଣପତ୍ର ପ୍ରତ୍ୟେକ ଗାଡ଼ି ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରମାଣପତ୍ର ବୈଧ ନଥିଲେ ସଂଶୋଧିତ ମୋଟର ଯାନ ଆଇନ ବଳରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।