ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ମୁଖ୍ୟଙ୍କର ଆବଶ୍ୟକତା ଅଛି । ପାର୍ଟିର ନୂତନ ଅଧ୍ୟକ୍ଷକୁ ନେଇ ମୁକୁଲ ବାସନିକ, ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗହଲୋତ, ସୁଶୀଲ କୁମାର ସିନ୍ଦେ ସମେତ କିଛି ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ମାତ୍ର ଏହି ଜଣାଶୁଣା ନେତା ଥାଇ ମଧ୍ୟ ପାର୍ଟି ଏବେ ନୂଆ ନେତାକୁ ଚୟନ କରିପାରି ନାହିଁ । ପାଟିର ନୂତନ ମୁଖ୍ୟ କିଏ ହେବେ ଓ ଏହାରି ଚୟନକୁ ନେଇ କ’ଣ ବ୍ୟବସ୍ଥା ହେବ, ଏହାକୁ ନେଇ ଶନିବାର କଂଗ୍ରେସ କାର୍ଯ୍ୟକମିଟିର ବୈଠକ ହେବ । 

ସୂତ୍ର ଅନୁସାରେ ନୂତନ ଅଧ୍ୟକ୍ଷ ଚୟନ ନିଷ୍ପତ୍ତିକୁ ନେଇ ସିଡବ୍ଲୁସି ବୈଠକରେ ବ୍ୟାପକ ବିଚାର-ବିମର୍ଶ ହେବ ଏବଂ ଚୟନ ପାଇଁ ବ୍ୟବସ୍ଥା କରାଯିବ । ସିଡବ୍ଲୁସିର ବୈଠକେ ପୂର୍ବରୁ ପାର୍ଟିର ବରିଷ୍ଠ ନେତା ଶୁକ୍ରବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ସୂତ୍ର ଅନୁସାରେ ଅହମଦ ପଟେଲ, ଏକେ ଆଣ୍ଟୋନୀ ଓ କେସି ବେଣୁଗୋପାଳ ପ୍ରମୁଖ ସୋନିଆଙ୍କୁ ଭେଟିଛନ୍ତି । କୁହାଯାଉଛି ଯେ, ସେମାନେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ କିଛି ନାମକୁ ସୋନିଆଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । 

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଅସାମଞ୍ଜସ୍ୟର ସ୍ଥିତି ଓ ନେତୃତ୍ୱର ସଂକଟ ପାର୍ଟିର ଅଡୁଆ ବଢ଼ାଇ ଦେଇଛି । ଧାରା ୩୭୦ ସମେତ କିଛି ପ୍ରସଙ୍ଗରେ ପାର୍ଟିର ନେତା ଭିନ୍ନ ଭିନ୍ନ ବୟାନ ଦେଇଛନ୍ତି । କିଛି ନେତା ଧିରେ ଧିରେ ପାର୍ଟି ଛାଡୁଛନ୍ତି । ରାହୁଲଙ୍କ ଇସ୍ତଫା ପରେ ଦଳର ଅନେକଗୁଡ଼ିଏ ବୈଠକ ମଧ୍ୟ ଆୟୋଜନ ହୋଇଛି । ମାତ୍ର କଂଗ୍ରେସକୁ ଅଧ୍ୟକ୍ଷ ମିଳିପାରି ନାହିଁ । ବରିଷ୍ଠ ନେତା ଅଭିଶେଷ ମନୁ ସିଂଘବୀ କହିଛନ୍ତି ପାର୍ଟି ପାଇଁ ଏଭଳି ଅଧ୍ୟକ୍ଷ ଚୟନ କରାଯିବା ଦରକାର, ଯିଏକି ସଙ୍ଗଠନକୁ ମଜବୁତ କରିପାରିବେ । ଦଳର ବରିଷ୍ଠ ନେତା ଓ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପୂର୍ବରୁ ପାର୍ଟି ଅଧ୍ୟକ୍ଷ ଦାୟିତ୍ୱ କୌଣସି ଯୁବ ନେତାଙ୍କୁ ଦିଆଯିବାକୁ ପରାମର୍ଶ ଦେଇଛନ୍ତି । ସେ ପରୋକ୍ଷ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ନାଁ ନେଇଛନ୍ତି । ପୂର୍ବରୁ ଅନ୍ୟ ନେତାମାନେ ପ୍ରିୟଙ୍କାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।