କଲେଜ କମିଟିରେ ବିଧାୟକ ସଦସ୍ୟ ମନା; ସରକାରୀ ଅଧ୍ୟାପକ କରିବେନି ଟ୍ୟୁସନ

ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଏଥର କଲେଜ କମିଟିରେ ସ୍ଥାନୀୟ ବିଧାୟକ ସଦସ୍ୟ ଭାବେ ରହିପାରିବେନି । ଏଥିସହ ସରକାରୀ ଅଧ୍ୟାପକ ମାନେ ଟ୍ୟୁସନ କରିପାରିବେ ନାହିଁ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି ।

ଆଜି ଭୁବନେଶ୍ବରରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ସଂପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଓ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଛି ।  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ସ୍ଥାନୀୟ ବିଧାୟକ କଲେଜ ପରିଚାଳନା କମିଟି ସଭାପତି ରହୁଥିଲେ । କିନ୍ତୁ ଏଣିକି କୌଣସି ଉଚ୍ଚଶିକ୍ଷା ସଂସ୍ଥାନର ଗଭର୍ଣ୍ଣିଂ ବଡିରେ ଆଉ ସ୍ଥାନୀୟ ବିଧାୟକ ସଦସ୍ୟ ହୋଇ ରହିବେ ନାହିଁ । କେବଳ ଶିକ୍ଷାବିତଙ୍କୁ ଏହି କମିଟିରେ ସଦସ୍ୟ ରଖାଯିବ। ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ ।

କୌଣସି ଛାତ୍ରଛାତ୍ରୀ ଫେଲ ହେବାକୁ ଚାହୁଁ ନାହାନ୍ତି । କିନ୍ତୁ ଏମିତି ଖାଲି ପାସ କରି ବାହା ବାହା ନେଇକି କିଛି ଲାଭ ନାହିଁ । ଗ୍ରେସ ମାର୍କ ଦେଇ ପାସ କରିବା କଣ କ୍ରେଡିଟ ? ଏହା ଦ୍ୱାରା ଶିକ୍ଷାର ମାନ କମୁଛି । ଆମ ରାଜ୍ୟରେ ପାଠ୍ୟକ୍ରମରେ ସବୁ ବିଭାଗରେ ଅନର୍ସ ରହିଛି । ସେଥିପାଇଁ ଶିକ୍ଷକଙ୍କ ଅଭାବ ରହୁଛି । ସରକାରୀ ଅଧ୍ୟାପକ ପିଲାଙ୍କୁ ଘରୋଇ ଭାବେ ଟ୍ୟୁସନ ଡାକି ଏଣିକି ପଢ଼ାଇ ପାରିବେ ନାହିଁ ।  ଘରୋଇ ଟ୍ୟୁସନ ଧରାପଡ଼ିଲେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ସବୁ ଚାହୁଁଛନ୍ତି କଲେଜ ଆମ ପାଖକୁ ଆସୁ। ଘର ପାଖରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟ କରିଦିଅ । ଏମିତିରେ ଶିକ୍ଷାର କିଛି ଲାଭ ହେବନି। ଦୂରକୁ ଯାଇ ପାଠ ପଢିବା ପାଇଁ ହଷ୍ଟେଲ ତିଆରି କରାଯାଇଛି । ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା କଥା। ଯାହାର ଯେଉଁ ବିଷୟରେ ଭଲ ତାକୁ ପଢିବାକୁ ଦିଅନ୍ତୁ ଅଭିଭାବକ । ବିଜ୍ଞାନ ହେଉନି, ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢ଼ାନ୍ତୁ ନାହିଁ। ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି।