ପୁଣି ୧୫ କିମି ଜଙ୍ଗଲୀ ରାସ୍ତାରେ ଚାଲିଲେ ପୋଲିଂ ପାର୍ଟି ଅଧିକାରୀ

ଭୁବନେଶ୍ୱର : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ୟ୍ୟାୟରେ ମଧ୍ୟ ମାଓ ପ୍ରବଣ ଅଞ୍ଚଳରେ ପୋଲିଂ ପାର୍ଟିଙ୍କୁ ସମାନ ଅବସ୍ଥା ଭୋଗିବାକୁ ପଡିଛି । କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକର ୨ଟି ବୁଥର ପୋଲିଂ ପାର୍ଟିର ପ୍ରାୟ ୧୪ ଜଣ ଅଧିକାରୀଙ୍କୁ ୧୫କିମି ଜଙ୍ଗଲୀ ରାସ୍ତାରେ ଚାଲିବାକୁ ପଡିଛି । ପୋଲିଂ ପାର୍ଟି କର୍ମଚାରୀଙ୍କ ଫେରିବା ରାସ୍ତାରେ ମାଓବାଦୀମାନେ ଲୁଛି ରହି ଆକ୍ରମଣ ଯୋଜନା କରିବା ସହ ଗଛ କାଟି ପକାଇଥିଲେ । ଏନେଇ ସୂଚନା ମିଳିଲା ପରେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ରାସ୍ତାରେ ଚାଲି ଚାଲି ଯିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଓବାଦୀଙ୍କ ଭୟରେ ରାତିରେ ଲାଇଟ୍ ଓ ମୋବାଇଲ ଫୋନ ମଧ୍ୟ ବାରଣ କରାଯାଇଥିଲା। ସିଆର୍ପିଏଫ୍ ଯବାନମାନେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ ।