ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି
ମ୍ୟାଚ୍ ଦିନ ମୁତୟନ ହେବେ ୮୦ ପ୍ଲାଟୁନ ଫୋର୍ସ
କଟକ: ୨୨ ତାରିଖରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଆଜି ପୋଲିସ ଡିଜି ଅଭୟ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୋଲିସ ଡିଜି ସମୀକ୍ଷା କରିବା ସମୟରେ ଭୁବନେଶ୍ୱର-କଟକ ପୋଲିସ କମିସନରେଟର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
ସମୀକ୍ଷା ପରେ ଡିଜି କହିଛନ୍ତି, ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି । ମ୍ୟାଚ ଦିନ ବାରବାଟୀ ଷ୍ଟାଡିୟମ ଓ ଖେଳାଳିଙ୍କ ସୁରକ୍ଷା ଲାଗି ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହ ସଦା ପୋଷାକରେ ପୁଲିସ କର୍ମଚାରୀ ଓ କମାଣ୍ଡୋ ମଧ୍ୟ ମୁତୟନ ହେବେ ବୋଲି ଜାଣିବାକୁ ମିଳିଛି। ଖେଳାଳିଙ୍କ ସୁରକ୍ଷା ଲାଗି ପୋଲିସ କୁକୁରଙ୍କ ଦ୍ୱାରା ଷ୍ଟାଡିୟମର ବିଭିନ୍ନ ଅଂଚଳ ମଧ୍ୟ ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି।
ଗତକାଲିଠାରୁ ଭୁବନେଶ୍ୱରର ମେ ଫେୟାର ହୋଟେଲରେ ଉଭୟ ଦଳର ଖେଳାଳି ଅବସ୍ଥାନ କରୁଛନ୍ତି। ଆଜି ଖେଳାଳିମାନେ ହୋଟେଲରେ ଶାରୀରିକ ଅଭ୍ୟାସ କରିବା ସହ ବିଶ୍ରାମ ନେଉଛନ୍ତି । ଖେଳାଳିମାନେ ରହୁଥିବା ହୋଟେଲକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଉଭୟ ଦଳର ଖେଳାଳି ଆସନ୍ତାକାଲି ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ ।