ପୁଣି କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି କଙ୍ଗନାଙ୍କ ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଲାଗିଛି । କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି । ଏନେଇ ଆଜି କଙ୍ଗନାଙ୍କ ନାଁରେ ମୁମ୍ବାଇର ବିକ୍ରୋଲି ଥାନାରେ ମାମଲା ରୁଜୁ ହୋଇଛି । ଏତଲା ପାଇବା ପରେ ବିକ୍ରୋଲି ଥାନା ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି ।

ଗତକାଲି ବିଏମସି କଙ୍ଗନାଙ୍କ ଅଫିସର ଅବୈଧ ନିର୍ମାଣ ଭାଙ୍ଗିବା ପରଠୁ ଶିବସେନା ଓ ଉଦ୍ଧବଙ୍କୁ ସମାଲୋଚନା କରୁଛନ୍ତି । ଆଜି ଉଦ୍ଧବଙ୍କୁ ବଂଶବାଦର ନମୂନା ଓ ଶିବସେନାକୁ ସୋନିଆଙ୍କ ସୋନା ଭଳି ଟିପ୍ପଣୀ କରିଛନ୍ତି ।

କଙ୍ଗନା ଓ ଶିବସେନା ବିବାଦ ଭିତରେ ଏବେ ମାହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କିଶ୍ୟୋରୀଙ୍କ ଏଂଟ୍ରି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଜେୟ ମହେତାଙ୍କ ସହ କଙ୍ଗନା ବିବାଦ ନେଇ ବିସ୍ତୃତ ଚର୍ଚା କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟପାଳ ଭଗତସିଂ କିଶ୍ୟୋରୀ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେବେ ବୋଲି ଶୁଣିବାକୁ ମିଳୁଛି ।