ସଟ୍ ଡାଉନ୍ ନ ମାନଲେ ମାମଲ ରୁଜୁ ସହ କ୍ୱାରେନଂଟାଇନରେ ରହିବାକୁ ପଡିବ

ଭୁବନେଶ୍ୱର: ଭୁବନେଶ୍ୱର, ଭଦ୍ରକ ଓ କଟକ ସହରରେ ୪୮ଘଂଟା ପାଇଁ ରାଜ୍ୟ ସରକାର ସଟ୍ ଡାଉନ୍ ଘୋଷଣା କରାଯାଇଛି । ଯଦି ଏହି ନିୟମକୁ ଲୋକେ ନ ମାନିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ୧୪ ଦିନିଆ କ୍ୱାରେନଂଟାଇନ୍ ରେ ରହିବାକୁ ପଡିବ । ଏନେଇ ଜନସାଧାରଣଙ୍କୁ କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ ଆହୁରି କହିଛନ୍ତି ଯେ, ଏହି ସଟଡାଉନ୍ ସମୟରେ ଯେଉଁ ସଂକ୍ରମିତମାନେ ଏଯାବତ୍ ସାମ୍ନାକୁ ଆସିନାହାନ୍ତି  କିମ୍ବା ଯେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଖୋଜା ଯାଇପାରିନାହିଁ, ସେମାନଙ୍କୁ ଖୋଜାଯିବ।

ସଟଡାଉନ୍ ସମୟରେ ମାତ୍ର ଅଳ୍ପ କେତୋଟି ଔଷଧ ଦୋକାନ ଖୋଲା ରହିବା ସହ ତେଜରାତି, ପନିପରିବା, କ୍ଷୀର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । ଭୁବନେଶ୍ୱରରେ କେତୋଟି ଔଷଧ ଦୋକାନ ଖୋଲା ରହିବ ତାହାର ତାଲିକା ଭୁବନେଶ୍ୱର ମହାନଗର ନିଗମ ଜାରି କରିବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଓପିଡି ସେବା ବନ୍ଦ ରହିବ।  କେବଳ ଏମର୍ଜେନ୍ସି ସେବା ଜାରି ରହିବ।  ସେ କହିଛନ୍ତି ଯେ ବହୁସଂଖ୍ୟକ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ସେବା ବ୍ୟବସ୍ଥା କରାଯାଉଛି । ତେଣୁ କେହି ଅଧିକ ଅସୁସ୍ଥ ଅନୁଭବ କଲେ ଆମ୍ବୁଲନସ୍ ଡକାଇ ଡାକ୍ତରଖାନା ଯାଇ ପାରିବେ ଏବଂ ଡାକ୍ତରଖାନାରୁ ଆସିପାରେିବେ। ଆବଶ୍ୟକସ୍ଥଳେ ଲୋକେ ପୁଲିସକୁ ୧୦୦ ନମ୍ବରରେ କଲ୍ କରି ସାହାଯ୍ୟ ମାଗି ପା‌ରିବେ।

ସେ ସ୍ପଷ୍ଟ କରାଇ କହିଛନ୍ତି ଯେ ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ଯାନବାହନ ଉପରେ ଏହି ୪୮ଘଂଟାରେ କୌଣସି କଟକଣା ରହିବ ନାହିଁ । ତେବେ ଜାତୀୟ ରାଜପଥ ସହ ସହରର ସବୁ ସଂଯୋଗ ବନ୍ଦ ରହିବ। ସହର ବାହାରୁ କେହି ଭିତରକୁ ଆସିପାରିବେ ନାହିଁ କି କେହି ସହର ବାହାରକୁ ଯାଇପାରିବେ ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ।