ବହୁଚର୍ଚ୍ଚିତ ବାବୁଲି ଗୁଳିକାଣ୍ଡ ଘଟଣାରେ ୪ ଗିରଫ, ଟିଟୋର ହାତ ଥିବା ସନ୍ଦେହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଲୋକ ମଲିକ, ସେକ୍ ସାର୍କି, ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଠୀ। ତେବେ ବାବୁଲି ଉପରକୁ ଗୁଳି ଚଳାଇଥିବା ଶେଖ ମହତାବ ଓ ଶେଖ କୁଦରତ୍ ଫେରାର୍ ଅଛନ୍ତି।

ଅନ୍ୟପଟେ ଘଟଣାରେ ଗାଙ୍ଗଷ୍ଟର ଟିଟୋର ପ୍ରତ୍ୟକ୍ଷ ହାତ ଥିବା ପୁଲିସ କହିଛି। ଟିଟୋର ଭାଇ ଜୀ ବାବୁ, ଚିତୋ ଓ ସହଯୋଗୀ ବାବୁ ସାହୁ ଗିରଫ ଘଟଣାରେ ବାବୁଲି ଏସ୍‌ଟିଏଫ୍‌ଙ୍କୁ ସହଯୋଗ କରିଥିବା ସନ୍ଦେହରେ ଟିଟୋ ଏହି ଆକ୍ରମଣର ଯୋଜନା କରିଥିଲା। ଏଥିପାଇଁ ଟିଟୋ ହତ୍ୟାକାରୀଙ୍କ ସହିତ ୫ ଲକ୍ଷ ଟଙ୍କାର ଡିଲ୍‌ କରିଥିବା ଅଭିଯୋଗ ହେଉଛି।

ଘଟଣା ଦିନ ଶେଖ କୁଦରତ ଓ ଶେଖ ମହତାବକୁ ଟିଟୋ ଅଗ୍ରୀମ ଲକ୍ଷେ ଟଙ୍କା ଓ ଦୁଇଟି ବନ୍ଧୁକ ଦେଇଥିଲା। ଏହି ଘଟଣାରେ ପୁଲିସ ୪ଟି ମୋବାଇଲ ଫୋନ ଓ ୨ଟି ବାଇକ ଜବତ କରିଥିବା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। ବାବୁଲିକୁ ଗୁଳି କରିବା ପାଇଁ ପ୍ରାୟ ମାସକ ପୂର୍ବରୁ ଟିଟୋ ଏବଂ ତାର ସହଯୋଗୀମାନେ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଛି।