କରୋନାରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ଦେବ – ଧର୍ମେନ୍ଦ୍ର ପ୍ରଧାନ

୨୦୧୯-୨୦ ବର୍ଷ ପାଇଁ ଓଡିଶାକୁ କେନ୍ଦ୍ରର ୫ ହଜାର ୧୨୨ କୋଟି ଜିଏସ୍‌ଟି ସହାୟତା ରାଶି ପ୍ରଦାନ ପ୍ରସଙ୍ଗ

ଭୁବନେଶ୍ୱର  :  ଆର୍ଥକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ କରିବ । ଏହାସହ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟର ଅର୍ଥନୀତିକୁ ଗତି ଦେବାରେ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଚଳିତବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ଜାରି କରିଛନ୍ତି । ତନ୍ମଧ୍ୟରୁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଛି । ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି ।

– ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ
-ବିଗତ ୩ ବର୍ଷ ଧରି ଓଡ଼ିଶାକୁ ଜିଏସଟି ସହାୟତା ରାଶି ପ୍ରଦାନରେ କ୍ରମାଗତ ବୃଦ୍ଧି
– ଓଡିଶାରେ ବିକାଶମୂଳକ କାର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ଅର୍ଥନୀତିକୁ ଗତି ଦେବ
– ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି
– କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ ଅଧିକ ଲାଭବାନ ହେଉଛି ଓଡିଶା
– ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି
– ପୂର୍ବ ଭାରତ ବିକାଶରେ ଓଡ଼ିଶାକୁ ପ୍ରମୁଖ ଅଙ୍ଗ ଭାବେ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

୨୦୧୭-୧୮ରେ ୪ ହଜାର ୭୪ କୋଟିରୁ ୨୦୧୮- ୧୯ରେ ୪ ହଜାର ୮୬୭ କୋଟି ଟଙ୍କା ଏବଂ ଏବେ ଏହା ପୁଣି ୫.୨୩ ପ୍ରତିଶତ ବୃଦ୍ଧି ହୋଇଛି । ରାଜ୍ୟ ଗୁଡିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ମୋଦି ସରକାର ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଓଡ଼ିଶା ସର୍ବଦା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ କେନ୍ଦ୍ର ସରକାରଙ୍କ ସହଯୋଗ କାରଣରୁ  ଅଧିକ ଲାଭବାନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡିଶା ଭଳି ରାଜ୍ୟ ଲାଭବାନ ହୋଇଛି । ଗତ କିଛି ମାସ ପୂର୍ବରୁ ଓଡ଼ିଶା ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଓଡ଼ିଶାର ପୁନରୁଦ୍ଧାର ପାଇଁ ତତ୍କାଳୀନ ୫୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍ ଲୋକ ବାସ କରୁଥିବା ସହର ଗୁଡ଼ିକର ପୌର ସଂସ୍ଥା(ନନ୍‌ମିଲିୟନ-ସିଟି) ପାଇଁ ଓଡ଼ିଶାକୁ ପ୍ରଥମ କିସ୍ତି ସ୍ୱରୂପ ଅଗ୍ରୀମ ଭାବରେ ୨୭୧.୭୫ କୋଟି ଟଙ୍କା ମିଳିଛି । ଜଳ ଜୀବନ ମିଶନ ଅଧୀନରେ ନିୟମିତ ଏବଂ ଦୀର୍ଘକାଳୀନ ଭିତ୍ତିରେ ଉତ୍ତମ ଗୁଣବତ୍ତା ସହ ଦୈନିକ ମୁଣ୍ଡପିଛା ୫୫ ଲିଟରର ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ପାଇଁ ୮୧୨ କୋଟି ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତକୁ ବିକଶିତ କରିବା ଲକ୍ଷ୍ୟରେ ପୂର୍ବଦୋୟ ଭିଜନରେ ପୂର୍ବ ଭାରତର ବିକାଶରେ ଓଡ଼ିଶାକୁ ପ୍ରମୁଖ ଅଙ୍ଗ ଭାବରେ ଆଗେଇ ନେବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର ଧନ୍ୟବାଦ ଜଣାଇଛନ୍ତି ।