କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା, ରାଜ୍ୟ ସରକାରଙ୍କୁ କଲେ ଟାଗେର୍ଟ

ଭୁବନେଶ୍ବର  : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପଦ୍ମପୁର ଓ ଦିଗପହଣ୍ଡି ଗସ୍ତ । ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରିଠାରେ ଜନ ପରାମର୍ଶ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଲୋକଙ୍କୁ ୧୯ ବର୍ଷ ଶୋଷଣ କଲାପରେ ନିର୍ବାଚନ ୩ ରୁ ୪ ମାସ ଥିବା ବେଳେ ଏବେ ପିଠା ଯୋଜନା କରି ବୁଢାବାଘର କାହାଣୀ କହିବା ଭଳି କାମ କରୁଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ପିଠାରେ କେବଳ ପିସିର ପୁର ଭରି ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏଥିସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

ବିଗତ ଦିନରେ ଯେଉଁ ପରାମର୍ଶ ଦେଇଛନ୍ତି ତାହା କାମରେ ହୋଇନି । ସୋହେଲା ସମାବେଶରେ ଚାଷୀଙ୍କୁ ୧ଶହ ଟଙ୍କାର ବୋନସ ଦେବାପାଇଁ ଘୋଷଣା କରିଥିଲେ ତାହା ମିଳିଲାନାହିଁ । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କେବଳ ଘୋଷଣାରେ ରହିଗଲା । ଏଯାଏଁ ଜିଲାକୁ ପାଇପ ଯୋଗେ ପିଇବା ପାଣି ମିଳିଲା ନାହିଁ । କେବଳ ଲୋକଙ୍କୁ ବୋକା ବନାଇବା ପାଇଁ ଏବେ ଘୋଷଣା ଉପରେ ଘୋଷଣା
କରି ଚାଲିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ମୁଖ୍ୟମନ୍ତ୍ରୀ ଟିମ୍ ଓାର୍କ, ଟ୍ରାନସଫରେନ୍ସି ଓ ଟେକ୍ନୋଲୋଜିର ବାହାବା ମାରୁଛନ୍ତି । ତାଙ୍କର କେତେଜଣ ମନ୍ତ୍ରୀ, କେତେଜଣ ବିଧାୟକ, କେତେଜଣ ସାଂସଦ ଓ ତାଙ୍କ ଘରେ କାମ କରୁଥିବା ତାଙ୍କର କେତେଜଣ କର୍ମଚାରୀଙ୍କ ନାଁରେ ସିବିଆଇ ମାମଲା ରହିଛି ୨୪ ଘଂଟା ମଧ୍ୟରେ ତାର ଉତର ଦେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପରିକି ସ୍ଥାନୀୟ
ଅଂଚଳର ବିଧାୟକ ତଥା ଆନ୍ନା ବାପ ପୁଅଙ୍କୁ ସିବିଆଇ ଡାକିଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ଚିଟଫଣ୍ଡ ଲୁଟି ସେ ଯେପରି
କାମ କରିଛନ୍ତି ତାହା ସମଗ୍ର ଦିଗପହଣ୍ଡି ପାଇଁ ଅପମାନ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ସେହିପରି ବରଗଡ ଜିଲ୍ଲା ପଦ୍ମପୁରରେ ଜନ ସମ୍ପର୍କ ପଦ ଯାତ୍ରାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ପଦ୍ମପୁର ଶତିଭଟାଠାରୁ କେନ୍ଦ୍ର ମନ୍ତ୍ରୀଙ୍କୁ ବିଶାଳ ବାଇକ ର୍ୟାଲିରେ ପାଛୋଟି ନେଇଥିଲେ ଦଳୀୟ କର୍ମୀ। ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ଧର୍ମେନ୍ଦ୍ର ଉଦବୋଧନ ଦେଇଥିଲେ ।ଏଠାରେ ମଧ୍ୟ ସେ ପିଠା ଯୋଜନାକୁ ସମାଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପିଠା, ବାସୀ ପିଠା ବୋଲି କହିଥିଲେ । ଖୁବ ଶୀଘ୍ର ବରଗଡ଼କୁ ଗ୍ୟାସ ପାଇପ ସଂଯୋଗ ଦିଆଯିବ ବୋଲି ଘୋଷଣା କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ସେ ଏସିୟାନ ବ୍ଲାଇଣ୍ଡ ଚେସ୍ ରୋପ୍ୟ ବିଜେତା ସୌନ୍ଦର୍ଯ୍ୟ ଏବଂ ପ୍ରାଦୁର୍ଯ୍ୟଙ୍କୁ ସମ୍ମାନିତ କରିଥିଲେ।…