କାଳିଆ ଯୋଜନାକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ପଧାନ କହିଲେ ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ

ଭୁବନେଶ୍ୱର: ଲୋକସଭାରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ସବୁ ବର୍ଗଙ୍କୁ ସୁହାଇଲା ଭଳି ହୋଇଥିବା ବଜେଟକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ବଜେଟ୍‌ରେ ଚାଷୀମାନଙ୍କ ପାଇଁ ହୋଇଥିବା ଐତିହାସିକ ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ବାଚନକୁ ଆଖିରେ ରଖି ତରବରିଆ ଭାବେ ଘୋଷଣା କରାଯାଇଥିବା ‘କାଳିଆ’ ଯୋଜନାକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ୧ ଡିସେମ୍ବର ୨୦୧୮ରୁ ଲାଗୁ କରାଯିବ । ଏଥିପାଇଁ ପ୍ରଥମ କିସ୍ତି ମାର୍ଚ୍ଚ ୩୧ ଭିତରେ ମିଳିବ । ସେଥିପାଇଁ ସରକାର ବଜେଟରେ ରିଭାଇଜ୍ ଏଷ୍ଟିମେଟ୍ କରି ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରି ବ୍ୟବସ୍ଥା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଏହା ଭାରତ ସରକାରଙ୍କ ଏକ ନିରନ୍ତର ଯୋଜନା । ପ୍ରତିବର୍ଷ ଏଥିପାଇଁ ୭୫ କୋଟି ଟଙ୍କାର ବ୍ୟୟବରାଦ ବ୍ୟବସ୍ଥା କରାଯିବ । ମାତ୍ର କାଳିଆ ଯୋଜନାରେ ବଜେଟ୍ ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ସରକାର କାଳିଆ ଯୋଜନାର ପାଞ୍ଚ କିସ୍ତିର ଏକ ସୀମିତ ଯୋଜନା କରିଛନ୍ତି । ଘୋଷଣା କରାଯିବାର ପୂର୍ବ ସପ୍ତାହରେ ବିଧାନସଭା ଚାଲୁଥିଲା । ସରକାର ସୁଚିନ୍ତିତ ଯୋଜନା କରିଥିଲେ କାଳିଆ ଯୋଜନାକୁ ସୀମିତ ଯୋଜନା ନକରି ରିଭାଇଜ୍ ଏଷ୍ଟିମେଟ୍ କରି ବଜେଟରେ ବ୍ୟୟବରାଦ ବ୍ୟବସ୍ଥା କରିଥାନ୍ତେ । ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ହିତାଧିକାରୀଙ୍କ ତାଲିକାରେ ମନ୍ତ୍ରୀମଣ୍ଡଳରେ ଥିବା ନେତାଙ୍କ ନାଁ ଆସୁଛି । ଏହା ଯୋଜନା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା, ସରକାରୀ କଳର ସ୍ୱଚ୍ଛତା ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାଗଚୀଷୀଙ୍କ ପାଇଁ ବାରମ୍ବାର କହିଲା ପରେ ମଧ୍ୟ ସରକାର ଆଇନ ଆଣିଲେ ନାହିଁ । ସରକାର କେଉଁ ଆଧାରରେ ଭାଗଚାଷୀ ଚିହ୍ନଟ କରିବେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାରଙ୍କ ଭୂମିହୀନ ଚାଷୀଙ୍କୁ ଜମି ଦେବାର ଦାୟିତ୍ୱ ୧୯ ବର୍ଷର ଶାସନରେ ଥିଲା । ଏଯାବତ ଇଞ୍ଚେ ମାତ୍ର ଜମି ଦେଇନାହାନ୍ତି । ଯେଉଁ ମାନେ ଭଲ୍ୟୁନ୍‌ଟାରୀ ଡିଲିଂ କରିବେ , ଡିଲିଷ୍ଟିଂ କରିବେ ତାଙ୍କ ନାଁକୁ ସୁଯୋଗ ଦେବା ପାଇଁ କହିଥିଲେ । ତେବେ ଏହି ଯୋଜନା ସୀମିତ କେବଳ ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ । ଅସାଧୁ, ଅଯୋଗ୍ୟ ଓଡିଶା ଅଫିସର ମୁଖ୍ୟମନ୍ତ୍ରୀଙ୍କ ଆୟୁଦ୍ଧ କରି ତାଙ୍କ ଦ୍ୱାରା ମିଛ କୁହାଉଛନ୍ତି । ମୁଖ୍ୟମନ୍ତ୍ରୀ ତାଲିକା ଧରି ୬୦୦୦ କୋଟି ଟଙ୍କା ବାକି ପଇସା ନେବାକୁ ଦିଲ୍ଲୀ ଯାଇଥିଲେ । ତାଲିକା ମଗାଯାଇଥିଲେ ମଧ୍ୟ ଏଯାଏ ତାଲିକା ଆସିଲା ନାହିଁ ।
ଏହାସହ ଚଳିତ ବଜେଟରେ ଓଡିଶାର ବିକାଶ, ବିଶେଷ କରି ରେଳ ବିଭାଗରେ ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି । କଂଗ୍ରେସ ଶାସନ ବେଳେ ରେଳ ବିଭାଗ ପାଇଁ ୧୦୦୦ କୋଟି ଟଙ୍କାର ସହଯୋଗ ମିଳୁନଥିଲା । ସେ ସମୟରେ ୫ ବର୍ଷରେ ମଧ୍ୟ ଓଡିଶାକୁ ଏହି ବିଭାଗରେ ୫୦୦୦ ହଜାର କୋଟି ଟଙ୍କା ମିଳୁନଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଏ ବର୍ଷ ରେଳବାଇ ବିଭାଗ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୭ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟବରାଦ କରି ଓଡିଶା ପ୍ରତି ଅବହେଳିତ ହୋଇଥିବା ରେଳବାଇ ଅଞ୍ଚଳକୁ ଜାତୀୟ ସ୍ତରକୁ ଆଣିବାର ବଡ ପ୍ରଚେଷ୍ଟା ଭାରତ ସରକାର କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଗତକାଲି ସାମ୍ନାକୁ ଆସିଥିବା ଦୁଇ ତିନୋଟି ଯୋଜନାରେ ଓଡିଶା ରାଜ୍ୟ ଅଧିକ ଲାଭାନ୍ୱିତ ହେବ । ଅଣସଂଗଠିତ ଶ୍ରମିକ ମାନଙ୍କୁ ୬୦ ବର୍ଷ ପରେ ୩ ହଜାର ଟଙ୍କା ମାସିକ ପେନସନ ଯୋଜନା ହେଉ, ଦୁଇ ହେକ୍ଟରର ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କାର ପିଏମ କିଷାନର ମାନଧନ ଯୋଜନା କିମ୍ବା ବ୍ୟକ୍ତିଗତ ଆୟକର ଛାଡସୀମା ୫ ଲକ୍ଷ ଟଙ୍କା ହେଉ ଓଡିଶା ଭଳି ରାଜ୍ୟ ଲାଭ ପାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଓଡିଶା ଭଳି ରାଜ୍ୟରେ ପଶୁପାଳନ ଓ ମତ୍ସ୍ୟଚାଷୀ ଗରିବ ଲୋକମାନଙ୍କର ବଡ ଜୀବିକା । ସେମାନଙ୍କୁ କୃଷିର ମାନ୍ୟତା ଦେଇ ୨ ପ୍ରତିଶତ ସୁଧରେ ବ୍ୟବସାୟ କରିବାର ବ୍ୟବସ୍ଥା ଏହି ବଜେଟରେ କରାଯାଇଛି । ସମୁଦ୍ର ଉପକୂଳରେ ରହୁଥିବା ଧୀବରମାନେ କିମ୍ବା ନଦୀ ବନ୍ଧ, ଗାଡିଆରେ ମାଛ ଚାଷ କରୁଥିବା ବା ନୂଆ ଯୁବ ଉଦ୍ୟେଗୀମାନେ ଏହାର ଲାଭ ପାଇପାରିବେ । ପୂର୍ବରୁ କିଷାନ କ୍ରେଡିଟ ଲୋନି ମାନେ ଠିକ୍ ସମୟରେ ଋଣ ପାଇବା ସହ ଠିକ୍ ସମୟରେ ଋଣ ପରିଶୋଧ କଲେ କରଛାଡ ପାଉଥିଲେ । ତେବେ ଏ ଦିଗରେ ନୂଆ ବ୍ୟବସ୍ଥା ଗତକାଲି ବଜେଟରେ ଘୋଷଣା ହୋଇଛି । ଏଣିକି ପ୍ରାକୃତିକ ଦୁର୍ବିପାକରେ ଫସଲ ହାନି ହେଲେ କମ୍ ସୁଧର ଋଣ, ରିଷ୍ଟ୍ରକଚରିଂ ଲୋନ ଉପରେ ଋଣ ଉପରେ ସୁଧ ମଧ୍ୟ କମିବ । ଓଡିଶାର ଉପକୂଳ ଅଞ୍ଚଳ ବା ଚାଷୀ ଅଞ୍ଚଳରେ ପ୍ରତିବର୍ଷ ମରୁଡି ଓ ବାତ୍ୟା ଫଳରେ ଫସଲ ହାନି ହୋଇଥାଏ । ବଜେଟରେ ଏହି ନିଷ୍ପତି କାରଣରୁ ଓଡିଶାର ଚାଷୀମାନେ ଲାଭ ପାଇପାରିବେ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସାମଗ୍ରିକ ଭାବେ ବଜେଟ ବ୍ୟବସ୍ଥାକୁ ଦେଖିଲେ ଢାଂଚା, ଜୀବନଜୀବିକା କ୍ଷେତ୍ରରେ ଏବଂ କଲ୍ୟାଣକାରୀ ଯୋଜନାରେ ଓଡିଶା ଲାଭ ପାଇବ । ଓଡିଶା ଏହାର ଲାଭାର୍ଥୀ ହେବ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଷୀ ଚିହ୍ନଟ ହେବା ନେଇ ରାଜ୍ୟ ସରକାର ସହଯୋଗୀ ହେବେ ଏହା ଆମର ଅପେକ୍ଷା । କୃଷି ମୂଳତଃ ଏକ ରାଜ୍ୟର ବିଷୟ । କିନ୍ତୁ ଜାତୀୟ ସ୍ତରରେ ସରକାରଙ୍କ ମଧ୍ୟ ଏକ ଦାୟିତ୍ୱ ଅଛି । ଏହି ଆଧାରରେ ୨ ହେକ୍ଟର ଜମିର ଚିହ୍ନଟ ଟେକ୍ନୋଲୋଜି ଯଥା ଜନ୍‌ଧନ୍ ଓ ଆଧାରକାର୍ଡ ମାଧ୍ୟମରେ ରାଜ୍ୟ ସରକାର ସହଯୋଗ କଲେ ଚାଷୀ ଚିହ୍ନଟ ହେବାରେ ବିଳମ୍ବ ହେବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ମୋ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଲମ୍ବା ସମୟର ରଣନୀତିର ଅନ୍ତର୍ଗତ ପରେ ଏଥର ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ଭାରତକୁ ନୂଆ କରି ଗଢି ତୋଳିବାରେ ଗୋଟେ ଲମ୍ବା ଦୌଡ ପାଇଁ ଏକ ଭିତିଭୂମି କରାଯାଇଛି । ତେଣୁ ନିର୍ବାଚନ ତା ବାଟରେ ଯିବ, ବଜେଟରେ କଲ୍ୟାଣକାରୀ ବ୍ୟବସ୍ଥା ଅନ୍ୟ ଏକ କଥା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।