ବାଜପେୟୀଙ୍କ ଓଡିଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ କରି ସ୍ମୃତି ଉଜ୍ଜିବୀତ  କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା - ଧର୍ମେନ୍ଦ୍ର

ଭୁବନେଶ୍ୱର: ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି । ଫଟୋଟି ୧୯୯୧-୯୨ ମସିହାର । ଅଟଳ ଜୀ ଓଡିଶା ଆସିଥିଲେ । ପାର୍ଟି ଅଫିସରୁ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟର ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ । ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ । ଅନ୍ତରଙ୍ଗ ଆଳାପ କଲେ । ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

ବାଜପେୟୀ ଜୀ ବିରୋଧୀ ଦଳର ନେତା ଭାବେ ଓଡିଶାର କେବିକେ ଅଂଚଳର ଗରିବୀ ସହ ରାଜ୍ୟର ବିଭିନ୍ନ ଅଂଚଳକୁ ବୁଲିବା ସହ ଲୋକମାନଙ୍କ ସହ ମିଶୁଥିଲେ । ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନଃ ନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ମୃତ୍ୟୁ ପରେ ସେ ଆଜି ଅମର । ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।