ଓଡିଶାରେ ବିକାଶକୁ ଗତି ଦେବାପାଇଁ ଦରକାର ମୋଦିଙ୍କ ଡବଲ ଇଂଜିନ୍: ଧର୍ମେନ୍ଦ୍ର

ଅନୁଗୁଳ : ଦଲାଲିଙ୍କ ପକେଟକୁ ପଇସା ଯିବା ଓଡିଆ ଲୋକଙ୍କ ସ୍ୱାର୍ଥ ନୁହେଁ । ଗରିବ ଓଡିଆ ଲୋକମାନଙ୍କ ପାଖକୁ ସିଧାସଳଖ ପଇସା ଯିବ । ଓଡିଶାରେ ସରକାର ବଦଳିବା ଦରକାର । ଓଡିଶାର ବିକାଶ ଲାଇନଚ୍ୟୁତ ହୋଇଛି । ଏହାକୁ ଗତି ଦେବାପାଇଁ ଭୁବନେଶ୍ୱର ଓ ଦିଲ୍ଲୀରେ ମୋଦିଙ୍କ ଡବଲ ଇଞ୍ଜିନ ଲାଗିଲେ ରାଜ୍ୟ ସମେତ ଅନୁଗୁଳ ଜିଲ୍ଲାର ଥିବା ଅନେକ ଆବଶ୍ୟକତାକୁ ପୂରଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅନୁଗୁଳର ପାଲଲହଡାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ , ଉଦଘାଟନ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତି ଉନ୍ମୋଚନ  ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପରେ ଦିଲ୍ଲୀରେ ଗୋଟିଏ ଦଳ ଅନେକ ବର୍ଷ ଧରି ଶାସନ କଲେ । ଭାରତବର୍ଷର ଇତିହାସ ଗୋଟେ ପରିବାର ଭିତରେ ସୀମିତ ରଖିବାକୁ ସେମାନେ ଚାହିଁଲେ । ପଣ୍ଡିତ ଜବାହାରଲାଲ ନେହୁରୁ,  ଶ୍ରୀମତି ଇନ୍ଦରା ଗାନ୍ଧୀ,  ସ୍ୱର୍ଗୀୟ ରାଜୀବ ଗାନ୍ଧୀ ଏବଂ ପରବର୍ତୀ ଅବସ୍ଥାରେ ତାଙ୍କ ପୀଢିମାନେ ଶାସନ କଲେ । ତା ହେଲେ କୂଆଡେ ଗଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ,  ମୌଲାନା ଆଜାଦ ଏବଂ କୁଆଡେ ଗଲେ ଓଡିଶାର ଜାତୀୟ ଆନ୍ଦୋଳନର ସମକକ୍ଷ ଲୋକ ବୋଲି ସେ ପ୍ରଶ୍ନ କରିଛନ୍ତି। 

ଧର୍ମେନ୍ଦ୍ର କହିଛନ୍ତି ପାଲଲହଡା ଓ ଏହାର ଆଖପାଖ ଅଂଚଳରେ ଅଧା ଡାକ୍ତର ନାହାନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଗାଗଣ୍ଡା ବୁଲି ଖୁସି ଥିବା କହୁଛନ୍ତି । ପାଲଲହଡା ଦୁଃଖରେ ଅଛି । ଏହାର ଜବାବ ଆଜି ପାଲଲହଡା ମାଗିବାକୁ ଚାହୁଁଛି ।  ପାଲଲହଡା ବ୍ଲକରେ  ପରିବାର ସଂଖ୍ୟା ପ୍ରାୟ ୪୦ ହଜାର ଥିବାବେଳେ  ସବୁ ଲୋକଙ୍କୁ ପକ୍କା ଘର ନାହିଁ । ଓଡିଶା ବିଧାନସଭାରେ ରାଜ୍ୟ ସରକାର ଗୋଟିଏ ତଥ୍ୟ ଦେଲେ ଯେ ଓଡିଶାରେ ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ନାହିଁ । ଏଠାରେ ଓଡିଶା. ଅନୁଗୁଳ,  ପାଲଲହଡା ଅଂଚଳର ଲୋକ ପିସିରେ ପିସି ହେଲେ । ନବୀନ ସରକାର ପିସି ନେଇ ବୁଲି ବୁଲି ପିସି ଷ୍ଟପ୍  ବୋଲି କହିଲେ । ଏବେ  ଆପଣମାନେ ଖୁସି ଅଛନ୍ତି ତ କହୁଛନ୍ତି  ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।