ଓଡିଶାର ସମସ୍ତ ଯୋଗ୍ୟଚାଷୀଙ୍କୁ ମିଳିବ ପିଏମ୍ କିଷାନ ସହାୟତା ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ

ଜଗତସିଂହପୁରୁ ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଆଲୋଚନା ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଜଗତସିଂହପୁର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ସମେତ ଭାରତବର୍ଷର ୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଭଳି ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ପଠାଉଥିବା ସମସ୍ତ ଯୋଗ୍ୟଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଲେଖାଏଁ ସହାୟତା ଟଙ୍କା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ସୁଶାସନ ଦିବସ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଆଲୋଚନାରେ ଜଗତସିଂହପୁର ଏରସମା ଜପାରୁ ସାମିଲ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ସୁଶାସନ ଏବଂ ଦାୟିତ୍ୱ ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ ମସିହାରୁ ମୋଦି ସରକାରଙ୍କ ମାର୍ଗଦର୍ଶକ । ଅଟଳଜୀଙ୍କୁ ପାଥେୟ କରି ଆଜି ପ୍ରଧାନମନ୍ତ୍ରୀ ଭାରତବର୍ଷର ୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮ହଜାର କୋଟି ଟଙ୍କା ପଠାଇ ସୁଶାସନର ପରିଚୟ ଦେଇଛନ୍ତି । ଓଡ଼ିଶା ସରକାର ଯେତେ ମଧ୍ୟ ଯୋଗ୍ୟଚାଷୀଙ୍କ ତାଲିକା ପଠାଇବେ,ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ବାର୍ଷିକ ୬ ହଜାର ଲେଖାଏଁ ଟଙ୍କା ବ୍ୟାଙ୍କ୍ ଖାତାକୁ
ପଠାଯିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି । ଆଧୁନିକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୁଶାସନର ପରିଚୟ ଦେଇ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବାର ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଯୋଗ୍ୟ ଚାଷୀମାନଙ୍କର ତାଲିକା  ପଠାଇନପାରିବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ପଠାଇବା ପାଇଁ କହିଥିବା ବେଳେ କାଳିଆ ଟଙ୍କା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

 ରାଜ୍ୟ ସରକାର ଯୋଗ୍ୟ ଚାଷୀମାନଙ୍କର ତାଲିକା ପଠାଇନପାରିବା ଦୁର୍ଭାଗ୍ୟଜନକ
 ୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ପଠାଇ ଅଟଳଜୀଙ୍କ ଭଳି ସୁଶାସନର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ
 ଦୀର୍ଘ ସମୟ ଧରି ଦାୟିତ୍ୱରେ ରହିବା ପରେ ରାଜ୍ୟର ଯୁବକ ଦାଦନ ଖଟିବାକୁ ଯିବା କଣ ସୁଶାସନର ପରିଚୟ?
 ରାଜ୍ୟ ସରକାର ଚାଷୀଙ୍କୁ ଦେଉଥିବା କାଳିଆ ଟଙ୍କା କୁଆଡେ ଗଲା ?
 ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ମୋଦି ସରକାର ଦେଇଛନ୍ତି ୬୦ ହଜାର କୋଟି
 ଓଡ଼ିଶାକୁ ମୋଦି ସରକାର ବିପୁଳ ଅର୍ଥ ଦେଉଥିବା ବେଳେ ଏହାର ବାଟମାରଣା ହେଉଛି
ମୋଦି ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନାରେ ଜରିଆରେ ମୋଟ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ନୂଆ କୃଷି ଆଇନରେ ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର
କରିବା ପାଇଁ ପଦକ୍ଷେପ ନିଆଯାଇଛି । ମାତ୍ର ଦେଶ ଏବଂ ରାଜ୍ୟରେ ଲମ୍ବା ସମୟ ଧରି ଶାସନରେ ଥିବା ସତ୍ୱେ ଚାଷୀଙ୍କ ପ୍ରତି ଅବହେଳା କରିଥିବା ଏବଂ ପ୍ରଜାତନ୍ତ୍ରରେ ପରାସ୍ତ ହୋଇ ବାହାରେ ଥିବା ବ୍ୟକ୍ତିମାନେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶାକୁ ମୋଦି ସରକାର ବିପୁଳ ଅର୍ଥ ଦେଉଥିବା ବେଳେ ଏହାର ବାଟମାରଣା ହେଉଛି । ଏହାର ସବୁ ଜବାବ ଦେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ କଚ୍ଛକୁ ଭାରତବର୍ଷର ୧୦ଟି ଅଗ୍ରଣୀ ଜିଲ୍ଲା ଭାବେ ସ୍ଥାପିତ କରିଛନ୍ତି । ଏହା ହିଁ ସୁଶାସନର ପରିଚୟ । ମାତ୍ର ମାତ୍ର ଏଠାରେ ଗୋଟିଏ ଦଳ ଦୀର୍ଘ ଦିନ ଶାସନ କ୍ଷମତା ରହିବା ପରେ ମଧ୍ୟ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛି । ଏହା କଣ ସୁଶାସନର ପରିଚୟ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନା ଉଲ୍ଲେଖନୀୟ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର କିସ୍ତି ଚାଷୀଙ୍କୁ ପ୍ରଦାନ କରିବା ଅବସରରେ ଦେଶର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଜଗତସିଂହପୁର ଏରସମା ବ୍ଲକ ଜପାରେ ଓ ସ୍ଥାନୀୟ ଜନସାଧାରଣ ଓ ଦଳର କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।