ରାଜ୍ୟର କର୍ପୋରେଟ୍ ଅନୁଷ୍ଠାନ ଓ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଟିକାକରଣ ସମୀକ୍ଷା
ଜୁଲାଇ ମାସରେ ଓଡିଶାର ପିଏସ୍ୟୁ ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ଚଳିତ ଜୁଲାଇ ମାସରେ ଓଡିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ ବୋଲି ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ(ସିଆଇଆଇ), ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ଓଡ଼ିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ)ର ମୁଖ୍ୟଙ୍କ ସହ କୋଭିଡ୍-୧୯ ଟିକାକରଣର ସମୀକ୍ଷା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ ଏବଂ ସିଆଇଆଇର ମୁଖ୍ୟ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସମୀକ୍ଷା କଲେ
ଟିକାକରଣକୁ ସୁଗମ କରିବା ପାଇଁ ‘କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ’ କରିବା ପାଇଁ ପ୍ରସ୍ତାବ
ଇଣ୍ଡିଆନ ଅଏଲ, ସିଆଇଆଇ, ସେଲ ଏବଂ ନାଲକୋ ଏହି ଟ୍ୟାସ୍କଫୋର୍ସ ଗଠନ କରନ୍ତୁ
କର୍ପୋରେଟ୍ ଅନୁଷ୍ଠାନ ଏବଂ ଘରୋଇ ହସ୍ପିଟାଲ ଗୁଡ଼ିକ ମିଳିତ ଭାବେ ୨୫% ଟିକାକରଣର ଦାୟିତ୍ୱ ନିଅନ୍ତୁ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଟିକାକରଣ ବ୍ୟବସ୍ଥା ବ୍ୟତିତ ରାଜ୍ୟରେ କର୍ପୋରେଟ୍ ଅନୁଷ୍ଠାନ ଏବଂ ଘରୋଇ ତଥା କର୍ପୋରେଟ୍ ହସ୍ପିଟାଲ ମିଳିତ ଭାବରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଆଶାଜନକ ଭାବରେ ବ୍ୟବସ୍ଥିତ ୨୫ ପ୍ରତିଶତ ଟିକାକରଣ କରିବାର ଦାୟିତ୍ୱ ନିଅନ୍ତୁ । ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଟିକା ସଂଗ୍ରହ, ଟିକା ଯୋଗାଣ ଏବଂ ଟିକାକରଣକୁ ସୁଗମ କରିବା ପାଇଁ କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଇଣ୍ଡିଆନ ଅଏଲ, ସିଆଇଆଇ, ସେଲ ଏବଂ ନାଲକୋ ବିଭିନ୍ନ ଘରୋଇ ହସ୍ପିଟାଲ ସାହାଯ୍ୟରେ ଏହି ଟ୍ୟାସ୍କଫୋର୍ସ ଗଠନ କରନ୍ତୁ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବୁ ନାଗରିକଙ୍କୁ ମାଗଣା ଟିକା ଦେବା ପାଇଁ ପ୍ରତିଶୃତିବଦ୍ଧ । ଏ ଦିଗରେ ସରକାରଙ୍କ ବ୍ୟତିତ ୨୫ ପ୍ରତିଶତ ଟିକାକରଣ କର୍ପୋରେଟ୍ ଅନୁଷ୍ଠାନ ଏବଂ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମିଳିତ ଭାବରେ ନିଜ ନିଜ ବ୍ୟବସ୍ଥାରେ ଟିକା କିଣି ଲୋକଙ୍କୁ ଟିକା ଲଗାଇବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ଭାରତ ସରକାର ଚଳିତ ଜୁଲାଇ ମାସରେ ଓଡିଶାକୁ ୩୦.୫ ଲକ୍ଷ ମାଗଣା ଟିକା ଆବଂଟନ କରିଥିବା ବେଳେ କର୍ପୋରେଟ୍ ମାଧ୍ୟମରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟିକା ଆବଟଂନ କରାଯାଇଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକ କିଭଳି ଟିକାକରଣ ହୋଇପାରିବେ ତାହାକୁ ଲକ୍ଷ୍ୟ ରଖିବାକୁ ପଡ଼ିବ । କର୍ପୋରେଟ୍ ଅନୁଷ୍ଠାନ ମାନେ ନିଜର କର୍ମଚାରୀ ସହ ଆଖପାଖରେ ଥିବା ଗରିବ ଲୋକଙ୍କୁ ମଧ୍ୟ ଟିକା ଦିଅନ୍ତୁ ।
ସେ କହିଛନ୍ତି ଯେ ସମସ୍ତ ଷ୍ଟେକ୍ ହୋଲଡରମାନେ କୋୱିନ୍ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ତାଙ୍କ କାର୍ଯ୍ୟସ୍ଥଳି, ଘରେ ଏବଂ ଘରୋଇ ଡାକ୍ତରଖାନାରେ ଟିକା ଦେବା ପାଇଁ ଖସଡା ପ୍ରସ୍ତୁତ କରନ୍ତୁ ।
କର୍ପୋରେଟ୍ ସଂସ୍ଥା ଗୁଡ଼ିକ ଦ୍ୱାରା ଜୁନ ମାସରେ ୫୫ ହଜାର ଲୋକଙ୍କୁ ଟିକାକରଣ କରାଯାଇଥିଲା । ଆଗାମୀ ଦିନରେ ୧୦ ଲକ୍ଷ ଟିକା ଦେବା ପାଇଁ ଶ୍ରୀ ପ୍ରଧାନ କର୍ପୋରେଟ୍ ସଂସ୍ଥା ଏବଂ କର୍ପୋରେଟ୍ ହସ୍ପିଟାଲକୁ ମିଳିତ ଭାବରେ ଆହ୍ୱାନ କରିଛନ୍ତି । ବୈଜ୍ଞାନିକ ଓ ଦେଶର ଡ଼ାକ୍ତରମାନଙ୍କ ଅନୁଯାୟୀ କରୋନାକୁ ହରାଇବା ପାଇଁ ଏକମାତ୍ର ବିକଳ୍ପ ଟିକାକରଣ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ସମ୍ ହସ୍ପିଟାଲ, କଳିଙ୍ଗ, ଉତ୍କଳ, ଆପୋଲୋ, କିମ୍ସ, ଆମରୀ, ବିକାଶ ହସ୍ପିଟାଲ, ଆଇଜିଏଚ୍, ନାଲକୋ ରାଉରକେଲା ସମେତ ରାଜ୍ୟର ଅନେକ ବେସରକାରୀ ହସ୍ପିଟାଲର ପ୍ରତିନିଧି ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ରେଲୱେ, ପାରାଦୀପ ପୋର୍ଟ, ଇଣ୍ଡିଆନ ଅଏଲ, ଏଚପିସିଏଲ, ବିପିସିଏଲ, ଗେଲ୍, ସେଲ, ଏସବିଆଇ, ଏମସିଏଲ, ଏନଟିପିସିର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସାମିଲ ହୋଇ ଟିକାକରଣ ଉପରେ ନିଜର ମତ ରଖିଥିଲେ ।
png minister dharmendra pradhan review vaccination in odisha