ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ :  ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

 ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବାର ନିଷ୍ପତି ନେଇ ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ସମସ୍ତ ଅପେକ୍ଷାରତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଓଡ଼ିଶାର ଲୋକଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ଅତି ଆନନ୍ଦର ବିଷୟ । ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ଖୋଲିବାକୁ ନିର୍ଣ୍ଣୟ ନେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଉଛି” । “କରୋନା ସଂକ୍ରମଣର ବିପଦକୁ ଧ୍ୟାନରେ ରଖି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନୀତି ଓ ନିୟମକୁ ପାଳନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ଅପେକ୍ଷାରତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ” ।