ବିପର‌୍ୟ୍ୟୟ ମୁକାବିଲାରେ ବିଫଳ ସରକାର, ବିପର୍ଯ୍ୟୟଠାରୁ ମନ୍ତ୍ରୀଙ୍କ ମନ୍ତବ୍ୟ ଅଧିକ ବାଧିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ତିତ୍ଲି ଓ ଏହାସହ ବର୍ଷା ଓ ବନ୍ୟାର କଷ୍ଟଠାରୁ ନବୀନ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଅଧିକ କଷ୍ଟ ଦେଉଛି ବୋଲି ସାମାଜିକ ଗଣମାଧ୍ୟମରେ ଲେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ସ୍କନ୍ଧଂ ନ ବାଧତେ ରାଜନ୍ ତବ ବାଧତି ବାଧତେ’ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁମୁଖରେ ପଡ଼ିବା ଓ ଅନେକ ନିଖୋଜ ହେବା ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡୁଛି । ରାଜ୍ୟର ଆହୁରି ଅନେକ ସ୍ଥାନରେ ଅନେକ ଲୋକ ମୃତାହତ ହେବାର ଖବର ଅଛି । ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ରାଜ୍ୟର ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କର ବୟାନ କଟା ଘା’ରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି । ଯଦି ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତ୍ଲି ତା ତୁଳନାରେ କମ୍ କ୍ଷତି କରିଛି ବୋଲି କହନ୍ତି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ରାଜ୍ୟର ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମ୍ବେଦନହୀନ ବୟାନ ଦେଇ ଓଡ଼ିଆ ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁନାହାନ୍ତି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଆକାଶମାର୍ଗରୁ ବିପନ୍ନ ଅଞ୍ଚଳ ବୁଲିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ତାଙ୍କର ଦାୟିତ୍ୱକୁ ଶେଷ କରି ଦେଇଛନ୍ତି । ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାନ୍ତି ବରଂ ନବୀନ ସରକାରଙ୍କ ସମ୍ବେଦନହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁ ଗଣହତ୍ୟାର ଶିକାର ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ତେ୍ୱ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଞ୍ଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ୱୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ରାଜ୍ୟର ବିଜେଡି ସରକାରଙ୍କ ଅହଂକାରକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବେଦନହୀନ କରି ଦେଇଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ୧୯ ବର୍ଷର ବଡ଼ ଜନସମର୍ଥନର ବଡ଼ ଦମ୍ଭ ଓ ଅହଙ୍କାର କାରଣରୁ ବିଜେଡି ସରକାର ଓ ପ୍ରଶାସନର ବେପରୁଆ ଓ ଅପରିଣାମଦର୍ଶୀ ବିପର୍ଯ୍ୟୟ ପରିଚାଳନା ଆଜି ଓଡ଼ିଆ ଲୋକମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି । ଜିରୋ କାଜୁଆଲିଟିର ନାରା ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ । ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମରେ ଫଟୋସୁଟ୍ କଲେ । ଆତ୍ମପ୍ରଚାର ପାଇଁ ସୋନୀ ମନୋରଞ୍ଜନ ଟେଲିଭିଜନରେ କୌନ୍ ବନେଗା କରୋଡ଼ପତି ଶୋରେ ଭାଗ ନେବାରେ ମୁଖ୍ୟମନ୍ତ୍ରୀଙ୍କ ବିବେକ ବାଧା ଦେଲା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଓଡ଼ିଆମାନଙ୍କ ପାଇଁ ନୂଆ କଥା ନୁହେଁ । ପ୍ରକୃତିର କୋପକୁ ସାମ୍ନା କରି ପୁଣି ଆଗକୁ ବଢ଼ିବା ଓଡ଼ିଆମାନଙ୍କ ଡିଏନଏରେ ଅଛି । ମାତ୍ର ଆଜି ସମୟ ବଦଳିଛି । ପୂର୍ବାନୁମାନରେ ବାତ୍ୟା ଓ ବର୍ଷାକୁ ଯଥେଷ୍ଟ ପୂର୍ବରୁ ସଠିକ ଭାବେ ଆକଳନ କରାଯାଇପାରୁଛି । ଆଧୁନିକ ଟେକ୍ନୋଲୋଜି ଓ ବିପର୍ଯ୍ୟୟ ପ୍ରଶମନର ନୂଆ ନୂଆ ଉପାୟ ବିପର୍ଯ୍ୟୟକୁ ସଠିକ୍ ଭାବେ ସାମ୍ନା କରିବା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି । ମାତ୍ର ସବୁ ସୁଯୋଗ ଓ ସମ୍ଭାବନା ସତ୍ତେ୍ୱ ତିତ୍ଲି ଓ ଏହା ସାଙ୍ଗରେ ଆସିଥିବା ବର୍ଷା ଓଡ଼ିଶାର ଅନେକ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା ବିଫଳ ହେବା ସହ ଲୋକମାନଙ୍କୁ ଦୁଃଖ ଓ ଦୁର୍ଦ୍ଦଶାକୁ ଠେଲି ଦେବା ପରିତାପର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତ

ବିଜେପି ରାଜନୈତିକ ଅଭିସନ୍ଧି ରଖି ମିଥ୍ୟା ପ୍ରଚାର କରୁଛି: ବିଜେଡି
ଭୁବନେଶ୍ୱର : ବାତ୍ୟା ମୁକାବିଲାରେ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ବାତ୍ୟା ତିତ୍‍ଲି ଓଡ଼ିଶାର ଏକ ଅତି ଭୟାବହ ବାତ୍ୟା ଥିଲା, ଯାହାର ବେଗ ଘଣ୍ଟା ପ୍ରତି ୧୬୫ କିମି ରହିଥିଲା । ଗତ ୧୮ବର୍ଷ ମଧ୍ୟରେ ଏହା ଓଡ଼ିଶାର ଦ୍ୱିତୀୟ ଭୟଙ୍କର ବାତ୍ୟା ଥିଲା । ଓଡ଼ିଶାର ଜନସାଧାରଣ ଉଚିତ୍‍ ନ୍ୟାୟରେ କହିପାରିବେ ଯେ ଏହି ବାତ୍ୟାର ମୁକାବିଲା କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯେଉଁ ପ୍ରକାର ଭାବରେ ଏହି ବାତ୍ୟାର ପ୍ରଭାବକୁ ନିୟନ୍ତ୍ରିତ କରାଯାଇଥିଲା, ସେଥିରେ ବିଜେପି ଭୟଭୀତ ହୋଇପଡିଛି । ବିଜେପି ନିଜର ନିରାଶା ଯୋଗୁ ରାଜନୈତିକ ଅଭିସନ୍ଧି ରଖି ମିଥ୍ୟା ପ୍ରଚାର କରୁଛି । ଏହି ବାତ୍ୟାକୁ ମୁକାବିଲା କରିବା ପାଇଁ ଯେଉଁ ସ୍ୱେଚ୍ଛାସେବୀ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ନିଷ୍ଠାର ସହ ରାତି ଦିନ କାର୍ଯ୍ୟ କରି ୩ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ, ବିଜେପି ନେତାଙ୍କ ବକ୍ତବ୍ୟ ଏପରି ବଳିଦାନକୁ ନିଶ୍ଚିତ ରୂପେ ଅସମ୍ମାନିତ କରୁଛି । ଉପକୂଳ ଓଡ଼ିଶାରେ ଯଦିଓ ତିତ୍‍ଲିର ଲ୍ୟାଣ୍ଡଫଲ୍‍ କରିଥିଲା, କିନ୍ତୁ ସମଗ୍ର ଉପକୂଳରେ ଗୋଟିଏ ବି ମୂଲ୍ୟବାନ ଜୀବନ ପ୍ରତି କୌଣସି ବିପତ୍ତି ଆସିନଥିଲା । ଏହା ରାଜ୍ୟ ସରକାରଙ୍କ ଦୃଢ଼ ପ୍ରସ୍ତୁତିକୁ ଦର୍ଶାଉଛି ଓ ପ୍ରତିପାଦିତ କରୁଛି । ବିଜେପି ଏହି ସଫଳତାରୁ ଈର୍ଷାନ୍ୱିତ ହୋଇ କଳେବଳେ ମିଥ୍ୟା ଅଭିଯୋଗ ଆଣିବାରେ ଲାଗିଛି । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟଣାକୁ ନେଇ ବିଜେପି ଯେଭଳି ଭାବରେ ରାଜନୀତିକରଣ କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡିର ସଭାପତି ମତ ରଖିଥିଲେ ଯେ ଯେଉଁମାନେ ଏହି ଦୁର୍ବିପାକ ଉପରେ ରାଜନୀତି କରୁଛନ୍ତି, କରନ୍ତୁ । ଆମେ ଜନସାଧାରଣଙ୍କ ରିଲିଫ୍‍ ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛୁ । ଦୁଇଜଣ ବିଜେପିର କେନ୍ଦ୍ରମନ୍ତ୍ରୀ ଏହି ରାଜ୍ୟର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାଥୀରେ ଫଟୋ ଉଠାଇବା ସର୍ବସ୍ୱ ନହୋଇ ସେମାନେ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ, ରାସ୍ତା ଓ ପରିବହନ, ରେଳବାଇ ଓ ଅର୍ଥ ମନ୍ତ୍ରାଳୟକୁ ରାଜ୍ୟରେ ଠିକ୍‍ ଭାବରେ କାର୍ଯ୍ୟ କରିବା ପାଇଁ କୁହନ୍ତୁ ବୋଲି ସସ୍ମିତ କହିଛନ୍ତି ।