ସିଏଏ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ଏକ ପଦକ୍ଷେପ: ଧର୍ମେନ୍ଦ୍ର

‘ସିଏଏ ବିରୋଧୀ ପ୍ରଗତିରେ ବାଧକ’

ଭୁବନେଶ୍ୱର : ଯେଉଁମାନେ ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ଦ୍ୱନ୍ଦ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ଭାରତବର୍ଷର ପ୍ରଗତିରେ ବାଧା ଆଣିବା ପାଇଁ ଚାହୁଁଛନ୍ତି । ବିଶେଷ ଭାବରେ ଦେଶରେ କଂଗ୍ରେସ ଦଳ ଅରାଜକତା ତିଆରି କରିବା ପାଇଁ ଚାହୁଁଛି ଏବଂ ଯେଉଁଥିରେ ସେମାନେ ସଫଳ ହେବେ ନାହିଁ ବୋଲି ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟସଭା ଓ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇସାରିଛି । ତିନୋଟି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଇସଲାମିକ ରିପବ୍ଲିକ ଘୋଷିତ ରାଜ୍ୟ ଗୁଡିକରୁ ସଂଖ୍ୟାଲଘୁ ହିନ୍ଦୁ, ଶିଖ୍‌, ପାର୍ଶି, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ସିଏଏ ବା ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ଏକ ପଦକ୍ଷେପ ବୋଲି ସେ କହିଛନ୍ତି । ନାଗରିକତା ସଂଶୋଧନକୁ ବିଜେଡି ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ ଦେଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।