ବିଜେଡି ସରକାର ଆଇନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି-ଧର୍ମେନ୍ଦ୍ର

ପୁରୀ : ଓଡ଼ିଶାରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇସାରିଲାଣି । ସରକାର ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରିପ୍ରେକ୍ଷୀରେ ହୋଟେଲ ଗୋଲ୍ଡେନ ପ୍ୟାଲେସ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଗୁରୁତର ଦୁର୍ନୀତି ପ୍ରସଙ୍ଗକୁ ଏଡ଼ାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଦୋଷାରୋପ କରିଥିଲେ ।

ଶ୍ରୀ ପ୍ରଧାନ କହିଥିଲେ ଯେ ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗର ଦୁର୍ନୀତି, ନରେଗା ଦୁର୍ନୀତିକୁ ଘୋଡ଼ାଇବା ପାଇଁ ବିଜେଡି ସରକାର ଉଦ୍ୟମ କରୁଛନ୍ତି । ଏହି ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାରୁ ଡା. ଦାମୋଦର ରାଉତଙ୍କୁ ଦଳରୁ ବିଦା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ସମ୍ପର୍କରେ ବିଜେପି ପକ୍ଷରୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ରାଜକୋଷ କୌଣସି ଦଳର ନୁହେଁ । ରାଜକୋଷରୁ ଅର୍ଥ ବ୍ୟୟ ପାଇଁ କେତେକ ନୀତି ନିୟମ ରହିଛି କିନ୍ତୁ ସରକାର ଆଇନ୍ର ପରିଧି ମଧ୍ୟରେ ରହିବାକୁ ଚାହୁଁନାହାଁନ୍ତି । ସରକାରଙ୍କ ବିଭିନ୍ନ ବ୍ୟୟ ବିଷୟରେ ସ୍ୱତନ୍ତ୍ର ଅଡିଟ୍ କରାଯିବାକୁ ଅନୁରୋଧ କରାଯାଇ ଏଜିଙ୍କୁ ବିଜେପି ପକ୍ଷରୁ ପତ୍ର ଲେଖାଯାଇଥିବା ସେ ପ୍ରକାଶ କରିଥିଲେ ।

ପ୍ରସଙ୍ଗକ୍ରମେ ଶ୍ରୀ ପ୍ରଧାନ ପୁରୀରେ ଆରକ୍ଷୀ ଅଧୀକ୍ଷକଙ୍କ ଔଦ୍ଧତ୍ୟ ବଢ଼ିଯାଇଛି ବୋଲି ଅଭିଯୋଗ କରିଥିଲେ । ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଥିଲେ ଯେ, କଂଗ୍ରେସ ଓ ବିଜେଡି ବ୍ୟତୀତ ଅନ୍ୟ ସବୁ ରାଜନୈତିକ ଶକ୍ତିଙ୍କୁ ଏକାଠି କରି ବିଜେପି ତାହାର ନେତୃତ୍ୱ ନେବ ଏବଂ ଆମେ ପୁରା ସଫଳ ହେବୁ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସାଢ଼େ ଚାରିବର୍ଷ ମଧ୍ୟରେ ମହିଳାମାନଙ୍କ କଲ୍ୟାଣ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ଉଜ୍ଜ୍ୱଳା ଯୋଜନା, ବେଟି ବଚାଓ ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ କରାଯିବା ସହ ମୁଦ୍ରା ଯୋଜନାରେ ମହିଳାଙ୍କ ସ୍ୱାବଲମ୍ବନଶୀଳତା ପାଇଁ ଅଗ୍ରାଧିକାର ପ୍ରଦାନ କରାଯାଉଛି । ଏ ସବୁ ଯୋଜନାର ସଫଳତା ନେଇ ବିଜେପି ଲୋକମାନଙ୍କ ପାଖକୁ ଯିବ ଏବଂ ନିଶ୍ଚିତଭାବେ ମହିଳାମାନଙ୍କର ବିପୁଳ ସମର୍ଥନ ହାସଲ କରିବ । ବିଧାନସଭାରେ ମହିଳାମାନଙ୍କ ପାଇଁ ଆରକ୍ଷଣ ଦିଗରେ ବିଜେଡିର ଉଦ୍ୟମ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ପ୍ରସଙ୍ଗ କେବେ ବି ବିଜେଡି ସଂସଦରେ ଉତ୍ଥାପନ କରିନାହିଁ । ଓଡ଼ିଶାରେ ମହିଳାମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ସେ ଅଭିଯୋଗ କରିଥିଲେ ।

ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବିଷୟରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୩, ୨୪ ଓ ୨୫ତାରିଖ ତିନିଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏହାକୁ ଉଦ୍ଘାଟନ କରିବେ । ଏହି ଅବସରରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀରେ ଦଳର ପ୍ରମୁଖ ମହିଳା ନେତ୍ରୀ, ସାଂସଦ, ବିଧାୟିକା କର୍ମକର୍ତ୍ତାମାନେ ଉଦ୍ବୋଧନ ଦେବେ । ଉତ୍ତରା ଛକରୁ ଶ୍ରୀ ଶାହାଙ୍କୁ ସ୍ୱାଗତ କରାଯାଇ ପୁରୀକୁ ପାଛୋଟି ଅଣାଯିବ । ଶ୍ରୀ ପ୍ରଧାନ କହିଥିଲେ ଯେ ୨୦୧୩ରେ ମୋଦିଜୀ ଶ୍ରୀକ୍ଷେତ୍ରରୁ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସାରାଦେଶର ମହିଳାମାନଙ୍କୁ ଏକତ୍ରିତ କରିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ମହିଳା ଭୋଟ୍ ବିଜେପି ସପକ୍ଷରେ ରହିବ ବୋଲି ସେ କହିଥିଲେ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଥିଲେ ଯେ, ୨୩ ତାରିଖରେ ଏକ କର୍ମଶାଳା ଅନୁଷ୍ଠିତ ହେବ । ୨୪ତାରିଖରେ ପ୍ରାଦେଶିକ ମହିଳା ସମ୍ମିଳନୀ ଶେଷ ହେବା ପରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅମିତ୍ ଶାହାଙ୍କ ଦ୍ୱାରା ଉଦ୍ଘାଟିତ ହେବ । ଏହି ଅବସରରେ ସାରାଦେଶର ମହିଳା ନେତୃତ୍ୱ ଏକତ୍ରିତ ହେବେ । ୨୫ତାରିଖ ସମାରୋପ ସତ୍ରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେବେ । ଦଳ ପ୍ରତି ମହିଳା ଭୋଟରଙ୍କ ଅକୁଣ୍ଠ ସମର୍ଥନ ମିଳିବ ବୋଲି ଶ୍ରୀମତୀ ପରିଡ଼ା ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।