ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କୁ ଲଣ୍ଠନ ଦେଖାଉଛନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର : ମାଗଣା ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୂଳ ପ୍ରଶ୍ନର ଉତ୍ତର ନ ଦେଇ କାହିଁକି ଓଡ଼ିଆ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆୟୁଷ୍ମାନ ଭାରତ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଭଲ ବୋଲି କହିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ “ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଲୋକଙ୍କୁ ବୋକା ବନାଇବା ଆପଣଙ୍କୁ ଭଲ ଭାବେ ଜଣା । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ । ଆୟୁଷ୍ମାନ ଭାରତ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହି ଆପଣ ନିଜେ ରାଧୁଆ ମିଛୁଆ ନୁହନ୍ତି ବୋଲି କହିବାକୁ ଚାହୁଁଛନ୍ତି କି?’ ଶ୍ରୀ ପ୍ରଧାନ କହିଛନ୍ତି, “ଯୋଜନା ଚଳାଇବା ପାଇଁ ଯେଉଁ ବଡ଼ ଟେକ୍ନୋଲୋଜି ପ୍ଲାଟଫର୍ମର ଆବଶ୍ୟକତା ଅଛି ତାହାର ପ୍ରଥମେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ଏହା ବାତିଲ ହେବା ପରେ ପୁଣି ଆଉ ଥରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକାରୀମାନଙ୍କର ମୂଲଚାଲ ଛିଣ୍ଡି ନଥିବା କାରଣରୁ ଏହା ବିଳମ୍ବିତ ହେଉଛି କି?’ ସେ କହିଛନ୍ତି, “ରୋଗ, ଦୁର୍ଘଟଣା, ଏପିଏଲ ବା ବିପିଏଲ ପଚାରି ଆସେ ନାହିଁ, ଏହା ସମସ୍ତେ ଜାଣିଛନ୍ତି । ମାତ୍ର ମାନ୍ୟବରଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁଠୁ ଯୋଗ୍ୟ ବିପିଏଲ ଥିଲେ କଟକର ମେୟର ଓ ବିଧାୟକମାନଙ୍କ ପରିବାର ।’

ଶ୍ରୀ ପ୍ରଧାନ କହିଛନ୍ତି, “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗାଇଡଲାଇନ ଏବେ ସୁଦ୍ଧା ପ୍ରସ୍ତୁତ ହୋଇନାହିଁ । ୪୦୩୬ ସ୍ୱାସ୍ଥ୍ୟ ସେବା ପ୍ୟାକେଜ କେବଳ କାଗଜ କଲମରେ ରହିଛି । ଆଜି ବି ୱେବସାଇଟକୁ ଦେଖିଲି । ଏହି ପ୍ୟାକେଜ ଗୁଡ଼ିକ ଆଜି ବି ୱେବସାଇଟରେ ସାର୍ବଜନୀନ ହୋଇ ନାହିଁ । ନୀତି ସ୍ପଷ୍ଟ ଅଛି ନା ତଥ୍ୟ ଉପଲବ୍ଧ ଅଛି?’ ଶ୍ରୀ ପ୍ରଧାନ କହିଛନ୍ତି, “ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ଉତ୍ତମ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେଉଁ ଡାକ୍ତରଖାନା ସହ କି ପ୍ରକାର ବୁଝାମଣା କରାଯାଇଛି? ଆପଣ ନିଜେ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ସବୁଠୁ ଅଧିକ ଲୋକ ସୁରଟରେ ଅଛନ୍ତି । ସେଠାରେ କେଉଁ କେଉଁ ଡାକ୍ତରଖାନାରେ ଓଡ଼ିଆମାନେ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ? ସେମାନଙ୍କୁ ଡାକ୍ତରଖାନା ଚିହ୍ନଟ କରିବ କେମିତି?’