ଏୟାର ପୋର୍ଟରେ ଓଡିଆ ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ଦୁଇ ଓଡିଆ ସହିଦଙ୍କୁ ଗାର୍ଡ୍ ଅଫ୍ ଅନର୍

ଭୁବନେଶ୍ୱର : ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆଙ୍କ ମରଶରୀର ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଛି । ବିମାନ ବନ୍ଦରରେ ପାର୍ଥୀବ ଶରୀର ପହଁଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେଠାରେ ତାଙ୍କୁ ରାଜ୍ୟ ସରକାର ଏବଂ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନ ବନ୍ଦରରେ ସହିଦଙ୍କ ଶେଷ ଦର୍ଶନ ପାଇଁ ଭିଡ ପରିଲକ୍ଷିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା, ପୋଲିସ ଡିଜି, ସିଆରପିଏଫର ବରିଷ୍ଠ ଅଧିକାରୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ସହିଦଙ୍କୁ ଶେଷ ସମ୍ମାନ ଜଣାଇଥିଲେ । 

 ଦୁଇ ଓଡିଆ ସହିଦ ଜଗତସିଂପୁର ନାଉଗାଁର ପ୍ରସନ୍ନ ସାହୁ ଏବଂ କଟକ ନିଆଳିର ମନୋଜ ବେହେରଙ୍କ ଶେଷକୃତ୍ୟ ନିଜ ନିଜ ଗାଁରେ ହେବ । ଶେଷକୃତ୍ୟବେଲେ  ଉପସ୍ଥିତ ରହିବାକୁ ପାର୍ଥୀବ ଶରୀର ଶୋଭାଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି । କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂପୁର ନାଉଗାଁରେ ସହିଦ ପ୍ରସନ୍ନ ସାହୁଙ୍କ ଶେଷକୃତ୍ୟରେ ଉପସ୍ଥିତ ରହିବେ । ସେପଟେ ଜୁଏଲ ଓରାମ ନିଆଳିରେ ମନୋଜ ବେହେରଙ୍କ ଶେଷକୃତ୍ୟରେ ଯୋଗଦେବେ ।