ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ବାଙ୍କୀ ବି.କେ ବିଦ୍ୟାପୀଠର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର : ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ ବୋଲି ବୁଧବାର ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନେତୃତ୍ୱ ଏହାକୁ କୁହାଯିବ ଯେ ବାଙ୍କୀ ଅଂଚଳର ସାମାନ୍ୟ ଲୋକର ଜୀବନରେ ମୂଳଭୂତ ପରିବର୍ତନ ଆଣିବ । ଦଳ, ମତ, ବିଚାର ନିର୍ବିଶେଷରେ ଆମେ ଏହି ସାମାଜିକ ଦାୟିତ୍ୱ ପୂରା କରିବାର ଆବଶ୍ୟକତା ରହିଛି । ଏହି ବିଦ୍ୟା ମନ୍ଦିର ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କଲେ ହିଁ ନିଜ ଯଥାର୍ଥତାକୁ ସାଧିତ କରିବ। ଏହା ହିଁ ଶାନ୍ତି ନିକେତନର ପ୍ରେରଣା ଥିଲା ତଥା ମହାତ୍ମା ଗାନ୍ଧୀଙ୍କ ଚରଖା ଚଲାଇବା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ଇଁଚୁଡି ଠାରେ ଲବଣ ସତ୍ୟାଗ୍ରହର ଉଦ୍ଦେଶ୍ୟ ଥିଲା । ସେହିପରି ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଢ଼ାଂଚାରେ ବାଙ୍କୀକୁ ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ପୂରାତନ ଓ ନୂତନ ଛାତ୍ରମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର ।
ବି.କେ ବିଦ୍ୟାପୀଠକୁ ଆଦର୍ଶ ବିଦ୍ୟାଳୟ କରିବା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ
ମହାବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତିମାନ
ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କରୁ ବି.କେ ବିଦ୍ୟାପୀଠ
ସାମୂହିକ ପ୍ରଚେଷ୍ଟାରେ ନୂଆ କୃଷି ଅର୍ଥନୀତିର ପରିଚୟ ହେଉ ବାଙ୍କୀ
ପ୍ରଧାନମନ୍ତ୍ରୀଙ୍କ ନୂଆ କୃଷି ଆଇନରେ ସମୃଦ୍ଧ ହେବ ବାଙ୍କୀ ଅଂଚଳ
ବାଙ୍କୀରେ ଉତ୍ପାଦିତ ପନିପରିବାକୁ ଟେକ୍ନୋଲୋଜିରେ ସବୁ ବଜାର ସହ ଯୋଡିବା ପାଇଁ ଆହ୍ୱାନ
ମହାନଦୀ ଅବବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମିରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠ ପାଇଁ ଜଣାଶୁଣା ବାଙ୍କୀ ଅଂଚଳ ଉତ୍କଳୀୟ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ଚଷାଚାଷୀର ମାଟି ସହ ଜଡ଼ିତ । ମହାବିଦ୍ୟାଳୟଟି ଆଜି ୧୦୦ ବର୍ଷ ପୂରଣ କରିବା ବିରଳ ତଥା ଗୌରବମୟ କୀର୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବାଙ୍କୀର ପୂର୍ବଜ ତଥା ପୂର୍ବପୁରୁଷ ବରେନ୍ଦ୍ର କୃଷ୍ଣ ଅଧିକାରୀ ତଥା ଅନେକ ବିଶିଷ୍ଟ ବ୍ୟକ୍ତିସମୂହଙ୍କ ପ୍ରଚେଷ୍ଟା ଯୋଗୁଁ ବାଙ୍କୀ ଉପଖଣ୍ଡରେ ବି.କେ ବିଦ୍ୟାପୀଠ ପ୍ରଥମେ ବାଙ୍କୀ – ଡ଼ମପଡ଼ା ହାଇସ୍କୁଲ ନାମରେ ପ୍ରତିଷ୍ଠା ହୋଇଥିଲା । ଡ଼ାକ୍ତର ଯୋଗେଶ ରାଉତ, ଯଷ୍ଟିସ୍ ଯୁଗଳ କିଶୋର ମହାପାତ୍ର, ବନବିହାରୀ ପଣ୍ଡା, ବାଉରୀବନ୍ଧୁ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିଦ୍ୟାଳୟରୁ ପାଠ ପଢ଼ି ବାଙ୍କୀ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ବାଙ୍କୀ ଭଳି କୃଷି ପ୍ରଧାନ ଅଂଚଳକୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ କୃଷି ଆଇନ ପ୍ରଣୟନ କରାଯାଇଛି । ଏହି ନୂଆ କୃଷି ଆଇନରେ ବାଙ୍କୀର କୃଷି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ ହେବ, ବାହାର ବଜାରରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ସଠିକ୍ ମୂଲ୍ୟ ପାଇପାରିବ ଏବଂ କୃଷିକୁ ବ୍ୟବସାୟର ରୂପ ଦେଇପାରିବ । ସ୍ୱାଭାବିକ ପାଠପଢ଼ା ସହ କୃଷି ବ୍ୟବସାୟ ତଥା ବାଙ୍କୀରେ ଉତ୍ପାଦିତ ପନିପରିବାକୁ ବଜାର ସହ ଯୋଡ଼ିବା ପାଇଁ ବିଦ୍ୟାଳୟର ପୂରାତନ ଓ ଆଜିର ଛାତ୍ରମାନେ ବଦ୍ଧପରିକର ହେବା ଦରକାର । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ ପଦକ୍ଷେପ । ଜ୍ଞାନ ସହ କୌଶଳକୁ ଯୋଡ଼ିବା ପାଇଁ ଏହି ଶିକ୍ଷାନୀତିରେ ପ୍ରାଥମିକତା ଦିଆଯାଇଛି । ଭୋକାଲ ଫର୍ ଲୋକାଲ ଓ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ନଆ ଶିକ୍ଷା ନୀତି ଆଧାରରେ ଏହି ଶହେ ବର୍ଷର ଶିକ୍ଷା ମନ୍ଦିର କିପରି ଆଦର୍ଶ ବିଦ୍ୟାଳୟ ହେବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ।
png minister dharmendra pradhan address at BK Bidyapitha 100th years celebration