ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର : ଆସ୍କାର ସାଂସଦ ଲଡୁ କିଶୋର ସ୍ୱାଇଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଙ୍କ ଶୋକ ବାର୍ତ୍ତାରେ କହିଛନ୍ତି “ଲୋକସଭା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ବିୟୋଗରେ ମୁଁ ମର୍ମାହତ । ଓଡିଶାର ଜନ ସମସ୍ୟା ସହିତ ଓତପ୍ରୋତ ଭାବେ ଜଡିତ ଥିବା ଶ୍ରୀ ସ୍ୱାଇଁଙ୍କୁ ମୁଁ ବ୍ୟକ୍ତିଗତ ଭାବ ଜାଣେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି “।

ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପରୋଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଲଡ଼ୁ କିଶୋର କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ଅସୁସ୍ଥ ହୋଇପଡ଼ିବାରୁ ରାତି ଗୋଟାଏରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଯାଇଛି। ୧୯୪୭ ଜୁଲାଇ ୮ ତାରିଖରେ ଗଂଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଲଡ଼ୁ କିଶୋର ସ୍ବାଇଁ ୨୦୧୪ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ୨୦୦୪ରେ ସେ କବିସୂର‌୍ୟ୍ୟନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।