ବୀମାଭୁକ୍ତ ହେବା ଇଚ୍ଛାଧିନ ହୋଇଥିବାରୁ ବ୍ୟାପକ ସଚେତନତା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଫସଲବୀମା ପଞ୍ଜୀକରଣ ଚାଷୀଙ୍କର ଇଚ୍ଛାଧିନ ବିଷୟ ହୋଇଥିବାରୁ ଏ ବିଷୟରେ  ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ଇନ୍ସୁରାନ୍ସ୍ କଂପାନୀ, ବ୍ୟାଙ୍କ୍, କ୍ଷେତ୍ର ସ୍ତରୀୟ କୃଷି କର୍ମଚାରୀ, କୃଷକ କ୍ଲବ୍,ପ୍ରଡ୍ୟୁସର ଗ୍ରୁପ୍ ମାନଙ୍କୁ ସକ୍ରିୟ ଭାବେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ  ଏହି ନିର୍ଦ୍ଦେଶ ନେଇଛନ୍ତି ।

PMFBY news

ଫସଲ ବୀମା ସମ୍ବନ୍ଧିତ ବିଷୟ ଉପସ୍ଥାପନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ ଯେ ଚଳିତ ଖରିପ୍ ଋତୁରେ ଧାନ, ମକା, କପା, ଚିନାବାଦାମ, ମାଣ୍ଡିଆ,ହରଡ,ଅଦା, ହଳଦୀ ଆଦି ୮ ଟି ଶସ୍ୟ ବୀମା  ଅନ୍ତର୍ଭୁକ୍ତ  କରାଯାଇଛି ।  ଇତିମଧ୍ୟରେ ଜମି ରେକର୍ଡକୁ ଜାତୀୟ  ଶଶ୍ୟ ବୀମା ପୋର୍ଟାଲ୍ ସହିତ ସଂଯୁକ୍ତ କରାସରିଛି ।  ଜୁଲାଇ ୩୧ ତାରିଖ ସୁଦ୍ଧା ବୀମାଭୁକ୍ତ ହେବା ପାଇଁ ଇଚ୍ଛୁକ କୃଷକମାନେ  ପଂଜୀକରଣ କରିପାରିବେ । ବ୍ୟାଙ୍କ୍, ଇନ୍ସୁରାନ୍ସ୍ କଂପାନୀ ପ୍ରତିନିଧି, ପ୍ରାଥମିକ କୃଷି ସମବାୟ ସମିତି କିମ୍ବା, ପଂଚାୟତ ଓ ବ୍ଳକ୍ ମାନଙ୍କରେ ଥିବା ଜନ ସେବା  କେନ୍ଦ୍ର ( କମନ୍ ସର୍ଭିସ୍ ସେଣ୍ଟର) ମାନଙ୍କରେ କୃଷକମାନେ  ନିଜକୁ ପଂଜୀକୃତ କରିପାରିବେ ।

PMFBY news

କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁ କୁମାର  ଜଣାଇଥିଲେ ଯେ ଗତ ୫ ବର୍ଷ ମଧ୍ୟରେ  ଲଗାତାର ଭାବେ  ବୀମାଭୁକ୍ତ ଚାଷ  ଜମିର ପରିମାଣ  ବୃଦ୍ଧି ପାଇଛି । ୨୦୧୬ ମସିହା  ଖରିଫ୍ ଋତୁରେ ୧୨.୫୭ ଲକ୍ଷ ହେକ୍ଟର, ୨୦୧୭ ମସିହାରେ ୧୩.୪୬ ଲକ୍ଷ ହେକ୍ଟର, ୨୦୧୮ ମସିହାରେ ୧୪.୨୬ ଲକ୍ଷ ହେକ୍ଟର ଏବଂ ୨୦୧୯ ମସିହାରେ ୧୮.୫୨ ଲକ୍ଷ ହେକ୍ଟର  ଚାଷ ଜମି ବୀମାଭୁକ୍ତ  ହୋଇଥିଲା । ୨୦୧୬ ମସିହାଠାରୁ ରିମୋର୍ଟ ସେନ୍ସିଂ  ଆପ୍ଲିକେସନ୍ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଫସଲ କଟା ପରୀକ୍ଷଣ ସଫଳତାର ସହ କରାଯାଉଛି । ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ବୋଲି ଶ୍ରୀ ମୁଥୁ କୁମାର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି ଯୋଜନାରେ  ଚାଷ ଜମିର ଆକାର ଏବଂ ଫସଲର ପ୍ରକାର ଅନୁସାରେ  ବୀମା ରାଶି  ନିର୍ଦ୍ଧାରଣ ହୁଏ । ନିର୍ଦ୍ଧାରିତ ରାଶିର ଶତକଡା ୨ ଭାଗ ଚାଷୀ ଦିଅନ୍ତି । ଅବଶିଷ୍ଟ ରାଶିର ଶତକଡା ୫୦ ଭାଗ ରାଜ୍ୟ ଓ ଶତକଡା ୫୦ ଭାଗ କେନ୍ଦ୍ର ସରକାର  ଦିଅନ୍ତି । ଅର୍ଥକାରୀ ଫସଲ ଯଥା କପା, ଅଦା ଓ ହଳଦୀ ପାଇଁ ଚାଷୀଙ୍କୁ ବୀମା ରାଶିର ଶତକଡା ୫ ଭାଗ  ଏବଂ  ଅନ୍ୟାନ୍ୟ  ଫସଲ ପାଇଁ ଶତକଡା ୨ ଭାଗ  ଦେବାକୁ ହୁଏ ।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଅଧିକରୁ ଅଧିକ ଚାଷୀଙ୍କୁ ଏହି ଶଶ୍ୟ ନିରାପତ୍ତା ବ୍ୟବସ୍ଥାର ଅନ୍ତର୍ଭୁକ୍ତ  କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଖାଦ୍ୟ ଓ ଖାଉଟି କଲ୍ୟାଣ  ପ୍ରମୁଖ ଶାସନ ସଚିବ  ଶ୍ରୀ ବୀର ବିକ୍ରମ ଯାଦବ, କୃଷି ନିର୍ଦ୍ଦେଶକ  ଶ୍ରୀ ମୁଥୁ କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶାସନ ସଚିବ  ଶ୍ରୀ ଅଭୟ କୁମାର ନାୟକ ଏବଂ କୃଷି ବିଭାଗ ସହ ନିର୍ଦ୍ଦେଶକ ଶ୍ରୀ ରାଜେଶ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।