ସାଂସଦଙ୍କ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଓଡ଼ିଆ ସମାଜର କୋଭିଡ଼୍ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର : ରାଜ୍ୟସଭା ସଦସ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ଲଣ୍ଡନରେ ବସବାସ କରୁଥିବା ଓଡ଼ିଆ ମାନଙ୍କୁ ନେଇ ଗଠିତ ଯୁକ୍ତରାଷ୍ଟ୍ର ଓଡ଼ିଆ ସୋସାଇଟି ତରଫରୁ ରାଜ୍ୟରେ କୋଭିଡ୍ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭ ଲକ୍ଷ ୩୩ ହଜାର ୫୦୦ ଟଙ୍କା ଦାନ କରାଯାଇଛି । ସୋସାଇଟିର ସାଂସ୍କୃତିକ ସଂପାଦକ ତଥା ବ୍ରିଟେନ୍ ସ୍ୱାସ୍ଥ୍ୟସେବା କର୍ମକର୍ତ୍ତା ଡ଼ଃ ଭାଗ୍ୟଶ୍ରୀ ସିଂ ରାଜ୍ୟସଭା ସଦସ୍ୟ ଶ୍ରୀ ପଟ୍ଟନାୟକଙ୍କ ସହ ଆସି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଏହି ରାଶିର ଡ୍ରାଫ୍ଟ ପ୍ରଦାନ କରିଥିଲେ । ଡ୍ରାଫ୍ଟ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଲଣ୍ଡନବାସୀ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ଅବସରରେ ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କର ଲଣ୍ଡନଗସ୍ତ ସମୟରେ ସେ ଲଣ୍ଡନରେ ବସବାସ କରୁଥିବା ଓଡ଼ିଆ ଲୋକମାନଙ୍କ ସହ ଓଡ଼ିଶାର ବିକାଶ ବିଷୟ ଆଲୋଚନା କରିଥିଲେ । ଏହି ଆଲୋଚନା ଲଣ୍ଡନସ୍ଥିତ ହାଇ କମିଶନଙ୍କ କାର‌୍ୟ୍ୟାଳୟ ପରିସରରେ ହୋଇଥିଲା । ଆଲୋଚନା ପରେ ଯୁକ୍ତରାଷ୍ଟ୍ର ଓଡ଼ିଆ ସୋସାଇଟିର କର୍ମକର୍ତ୍ତାମାନଙ୍କ ସହ ଯୋଗାଯୋଗ ହୋଇଥିଲା । ସୋସାଇଟିର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଏହି ପାଣ୍ଠି ଯୋଗାଡ ହୋଇଛି ।