ପିଏମ୍ ଯୋଜନାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର: କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ତଦାରଖ ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆବଶ୍ୟକୀୟ ତଥ୍ୟ ସମ୍ପୃକ୍ତ ୱେବସାଇଟ୍ରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କାର‌୍ୟ୍ୟାନ୍ଵୟନ ସମନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। କାର‌୍ୟ୍ୟାନ୍ଵୟନ ସମୀକ୍ଷା କରି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାକୁ ବାଦ ନପଡ଼ନ୍ତି ତାଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ପାଢ଼ୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଗର୍ଗ ଜଣାଇଥିଲେ ଯେ, ଇତି ମଧ୍ୟରେ ୧ମ ପର‌୍ୟ୍ୟାୟରେ ୧୩.୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩.୨୦ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଇଛି। ୨ୟ ପର‌୍ୟ୍ୟାୟରେ ମିଳିଥିବା ଦରଖାସ୍ତ ଗୁଡ଼ିକର ଯାଞ୍ଚ କରାଯାଇ ପ୍ରାୟ ୧୪.୨ ଲକ୍ଷ ପରିବାରଙ୍କର ତାଲିକା ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି ପରିବାର ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ‘ଅନ୍‌ଲାଇନ୍‌ ଟ୍ରାନସ୍‌ଫର’ କରାଯାଇଛି।