ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, ୧୭ ଜୁଲାଇ, ୨୦୨୦ରେ ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ଅଧିବେଶନରେ ଉଦଘାଟନୀ ବକ୍ତବ୍ୟ ଦେଇଛନ୍ତି । ଗତ ୧୭ ଜୁନରେ ୨୦୨୧-୨୨ ଅବଧି ଲାଗି ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅ-ସ୍ଥାୟୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବହୁସଂଖ୍ୟକ ମିଳିତ ଜାତିସଂଘ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।

ଚଳିତ ବର୍ଷ ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନର ବିଷୟବସ୍ତୁ ରଖାଯାଇଛି, “କୋଭିଡ-୧୯ ପରେ ବହୁପକ୍ଷବାଦ : ୭୫ତମ ବର୍ଷ ପୂର୍ତି ଅବସରରେ ଆମକୁ କିଭଳି ମିଳିତ ଜାତିସଂଘର ଆବଶ୍ୟକତା ରହିଛି” । ମିଳିତ ଜାତିସଂଘ ପ୍ରତିଷ୍ଠାର ୭୫ତମ ବର୍ଷ ପୂର୍ତି ଅବସରରେ, ଏହି ବିଷୟବସ୍ତୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରବର୍ତୀ ସଦସ୍ୟତା ଲାଗି ଭାରତତର ପ୍ରାଥମିକତାକୁ ପ୍ରତିଫଳିତ କରୁଛି । କୋଭିଡ-୧୯ ପରବର୍ତୀ ବିଶ୍ୱରେ ‘ସଂସ୍କାରିତ ବହୁପକ୍ଷବାଦ’ ପାଇଁ ଭାରତର ଆହ୍ୱାନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ, ଯାହାକି ସମସାମୟିକ ବିଶ୍ୱର ବାସ୍ତବତାକୁ ପ୍ରତିଫଳିତ କରୁଥିବ । ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ ଇସିଓଏସଓସି, ମିଳିତ ଜାତିସଂଘର ବିକାଶମୂଳକ କାର୍ଯ୍ୟ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ରେ ଭାରତର ଦୀର୍ଘ ସହଭାଗିତା ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ପାଇଁ ଭାରତର ସଂକଳ୍ପ ସାମଗ୍ରିକ ବିକାଶ ନିମନ୍ତେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତ ନିଜର ବିପୁଳ ଜନସଂଖ୍ୟାର ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ସୁଧାର ଆଣିବାରେ ସଫଳତା ହାସଲ କରିଛି ଯାହା ଏସଡିଜିର ବୈଶ୍ୱିକ ଲକ୍ଷ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଏସଡିଜି ଲକ୍ଷ୍ୟ ହାସଲ ଲାଗି ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ସ୍ୱଚ୍ଛତାରେ ସୁଧାର ଆଣିବା ଲାଗି ‘ସ୍ୱଚ୍ଛ ଭାରତ ଅଭିଯାନ’, ମହିଳା ସଶକ୍ତିକରଣ, ଆର୍ଥିକ ସମାବେଶୀକରଣ, ଏବଂ “ସମସ୍ତଙ୍କ ପାଇଁ ଆବାସ” ଓ “ଆୟୁଷ୍ମାନ ଭାରତ” ଭଳି ପ୍ରମୁଖ ଯୋଜନା ଜରିଆରେ ଆବାସ ନିର୍ମାଣ ଓ ସ୍ୱାସ୍ଥ୍ୟସେବା ସୁଧାର ନିମନ୍ତେ ଭାରତ ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛି ବୋଲି ସେ କହିଥିଲେ । ପରିବେଶ ସ୍ଥିରତା ଓ ଜୈବ ବିବିଧତାର ସଂରକ୍ଷଣ ଉପରେ ଭାରତ ଜୋର ଦେଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଅନ୍ତର୍ଜାତୀୟ ସୌର ମେଂଟ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତିଭୂମି ମେଂଟ ଗଠନରେ ଭାରତର ଅଗ୍ରଣୀ ଭୂମିକା ବିଷୟରେ କହିଥିଲେ ।

କ୍ଷେତ୍ରୀୟ ସ୍ତରରେ ଭାରତ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତ ସରକାର ଏବଂ ବିଭିନ୍ନ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ଅନ୍ୟ ଦେଶଗୁଡ଼ିକୁ ଔଷଧ ଯୋଗାଣ ସୁନିଶ୍ଚିତ କରିଛନ୍ତି । ସାର୍କ ଦେଶଗୁଡ଼ିକ ମଧ୍ୟରେ ଏକ ମିଳିତ ମୁକାବିଲା ରଣନୀତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ସମନ୍ୱୟ ରକ୍ଷା କରିଛି । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଇସିଓଏସଓସିରେ ଉଦବୋଧନ ଦେଇଛନ୍ତି । ଏଥିପୂର୍ବରୁ ୨୦୧୬ ଜାନୁଆରୀ ମାସରେ ଇସିଓଏସଓସିର ୭୦ ବର୍ଷ ପୂର୍ତି ସମାରୋହରେ ପ୍ରଧାନମନ୍ତ୍ରୀ ଉଦଘାଟନୀ ଅଭିଭାଷଣ ରଖିଥିଲେ ।