ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: ୭୪ତମ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ବିକାଶ ପଥରେ ନେବା ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଆତ୍ମନିର୍ଭର ଭାରତ ଅଭିଯାନ ସହ ଦେଶରେ ମହିଳାଙ୍କ ବିବାହ ବୟସ ଧାର୍ଯ୍ୟ କରିବାଠାରୁ ଆରମ୍ଭ କରି କୋଭିଡ୍ ଯୋଦ୍ଧାଙ୍କୁ ତାଙ୍କ ପାଇଁ ଧନ୍ୟବାଦ୍ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଯେଉଁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ ସେଗୁଡ଼ିକ ହେଲା…

୧. ଦେଶକୁ ସ୍ଵାଧୀନତା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ରଖିବା ପାଇଁ ଆମେ ଏହି ଦିନକୁ ପାଳନ କରୁଛେ। ଆମର ସୁରକ୍ଷା ସୁନିଶ୍ଚିତ କରୁଥିବା ସେନା, ପାରାମିଲିଟାରୀ ଏବଂ ପୁଲିସ ସମେତ ସୁରକ୍ଷା କର୍ମୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ମଧ୍ୟ ଆମେ ଏହି ଦିନକୁ ପାଳନ କରୁଛେ।

୨. କରୋନା ମହାମାରୀ ବିଷୟରେ ଆଲୋଚନା କରିପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଭିନ୍ନ ସମୟ ଦେଇ ଗତି କରୁଛୁ। ମୁଁ ଆଜି ଛୋଟ ପିଲାମାନଙ୍କୁ ଦେଖିପାରୁ ନାହିଁ। କରୋନା ସମସ୍ତଙ୍କୁ ଅଟକାଇ ଦେଇଛି। କୋଭିଡର ଏହି ସମୟରେ କରୋନା ଯୋଦ୍ଧାମାନେ ‘ସେବା ପରମ ଧର୍ମ’ର ମନ୍ତ୍ର ମନରେ ନେଇ ଦେଶବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି। ଏ ନେଇ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଏବେ ଭାରତରେ ୩ଟି କରୋନା ଟିକା ଉପରେ ପରୀକ୍ଷା ଚାଲୁ ରହିଛି। ବୈଜ୍ଞାନିକମାନଙ୍କଠାରୁ ସବୁଜ ସଙ୍କେତ ପାଇବା ମାତ୍ରେ ଆମେ ସେହି ଟିକାଗୁଡ଼ିକର ବହୁଳ ଉତ୍ପାଦନ ପାଇଁ ପ୍ରସ୍ତୁତ |

୩. ଦେଶରେ ମହିଳାମାନଙ୍କ ବିବାହ ବୟସକୁ ନେଇ“ଆମ ଦେଶରେ ମହିଳାମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସକୁ ପୁନର୍ବିଚାର କରିବାକୁ ଆମେ ଏକ କମିଟି ଗଠନ କରିଛୁ। କମିଟି ଏହାର ରିପୋର୍ଟ ଦାଖଲ କରିବା ପରେ ଆମେ ଉପଯୁକ୍ତ ନିଷ୍ପତ୍ତି ନେବୁ ବୋଲି ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି।

୪. ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସ୍ଵାଧୀନତା ଦିବସ ଅବସରରରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଉଦଘାଟନ କରିଛନ୍ତି। ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆଇଡି ପାଇବେ। ଆପଣଙ୍କ ପ୍ରତ୍ୟେକ ପରୀକ୍ଷା, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର ତୁମକୁ କେଉଁ ଔଷଧ ଦେଇଥିଲେ, କେବେ ଦେଇଥିଲେ, ତୁମର ରିପୋର୍ଟ କ’ଣ, ଏହି ସମସ୍ତ ସୂଚନା ଏହି ସ୍ୱାସ୍ଥ୍ୟ ଆଇଡିରେ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

୫. ଆଗାମୀ ୧,୦୦୦ଦିନରେ ଦେଶର ପ୍ରତ୍ୟେକ ଗାଁ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହେବ। ୨୦୧୪ ପୂର୍ବରୁ ଦେଶର କେବଳ ୫ ଡଜନ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୧.୫ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।