ନୂଆ ଶିକ୍ଷା ନୀତି ନୂତନ ଭାରତର ମୂଳଦୁଆ ପକାଇବ: ମୋଦି

ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତିରେ ସୁଧାର ଆସିଛି । ଏହି ଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବା ବେଳେ ଏହା ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇ-କନକ୍ଲେଭରେ ଶିକ୍ଷା ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋଚନା କରିଛନ୍ତି।

ଏହି ଶିକ୍ଷା ନୀତିକୁ ପ୍ରସ୍ତୁତ କରିବାକୁ ୩ ରୁ ୪ ବର୍ଷ ଲାଗିଥିଲା । ଏଥିପାଇଁ ବ୍ୟାପକ ବିଚାର-ବିମର୍ଷ ଓ ଲକ୍ଷାଧିକ ପରାମର୍ଶ ପରେ କ୍ୟାବିନେଟ ମଞ୍ଜୁରି ମିଳିଛି । ଆଜି ଏହି ନୀତିକୁ କେହି ବିରୋଧ କରୁନାହାଁନ୍ତି କାରଣ ଏଥିରେ କୌଣସି ପକ୍ଷପାତିତା କରାଯାଇନାହିଁ ବୋଲି ମୋଦି କହିଛନ୍ତି । ଆଜି ପ୍ରତ୍ୟେକ ଚିନ୍ତାଧାରାର ଲୋକମାନେ ଏହି ପ୍ରସଙ୍ଗରେ ମତ ରଖୁଛନ୍ତି ଏବଂ ବିଚାର କରୁଛନ୍ତି ।

ଶିକ୍ଷାରେ ଏତ ବଡ ସଂସ୍କାରକୁ କିପରି କାର୍ଯ୍ୟକାରୀ ଯିବ ସେନେଇ ଲୋକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ସୃଷ୍ଟି କରିଥିବ । ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୃତି ଦେଇଛନ୍ତି । ଏହି ନୂଆ ନୀତି ଭାରତ ମୂଳ ଦୂଆ ପକାଇବ । ଭାରତକୁ ଶକ୍ତିଶାଳୀ ଓ ନାଗରିକଙ୍କ ସଶକ୍ତ କରିବାକୁ ଉତ୍ତମ ଶିକ୍ଷା ପ୍ରଣାଳୀର ଆବଶ୍ୟକ ରହିଛି । ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ଧ୍ୟାନ ଦେବାକୁ ପଡିବ । ଫଳରେ ଭବିଷ୍ୟତରେ ପରବର୍ତ୍ତୀ ପିଢିକୁ ଉତ୍ତମ ଭାବେ ପ୍ରସ୍ତୁତ କରାଯାଇପାରିବ ।

ମୋଦି କହିଛନ୍ତି, ନର୍ସରୀ ପିଲାଙ୍କୁ ଆଜି ଠାରୁ ଟେକ୍ନୋଲୋଜି ଉପରେ ପଢାଗଲେ, ଆଗାମୀ ଦିନରେ ତାଙ୍କୁ ପ୍ରସ୍ତୁତ ହେବାକୁ ସହଜ ହେବ । ଅନେକ ଦଶନ୍ଧି ଧରି ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇନଥିଲା । ଫଳରେ ଡାକ୍ତର-ଇଞ୍ଜିନିୟର,ଓକିଲ ହେବାକୁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିଲା । ବର୍ତ୍ତମାନ ଯୁବକମାନେ ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ , କେବଳ ଅଧ୍ୟୟନ ନୁହେଁ କାର୍ଯ୍ୟ ସଂସ୍କୃତିରେ ମଧ୍ୟ ବିକାଶ କରାଯାଇଛି ।

ଦୁନିଆରେ ନୂତନ ବ୍ୟବସ୍ଥା ଠିଆ ହୋଇଛି,ଏଭଳି ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ। ବର୍ତ୍ତମାନ ୧୦, +୨ କୁ ମଧ୍ୟ ରଦ୍ଦ କରିଦିଆଯାଇଛି । ଏହା ଦ୍ୱାରା ଛାତ୍ରଙ୍କୁ ବିଶ୍ୱ ନାଗରିକ କରିବାକୁ ପଡିବ କିନ୍ତୁ ସେମାନଙ୍କୁ ନିଜର ମୂଳ ସହିତ ସଂଯୁକ୍ତ ରଖିବାକୁ ହେବ ବୋଲି ମୋଦି କହିଥିଲେ ।

ନିଜ ମାତୃଭାଷାରେ ପିଲାଙ୍କୁ ହିଁ ପାଠପଢା ଯିବା ଉଚିତ । ଘରେ କହୁଥିବା ଭାଷା ଓ ସ୍କୁଲ ଭାଷା ଏକ ହେବା ଦ୍ୱାରା ପିଲାଙ୍କୁ ଶିଖିବାକୁ ସହଜ ହେବ । ତେଣୁ ଏହି ସୁବିଧା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ । ପୁରୁଣା ଶିକ୍ଷା ନୀତିରେ ପିଲାଙ୍କୁ ହ୍ବାଟ ଟୁ ଥିଙ୍କ( କଣ ବିଚାର କରୁଛ) ସହ ବଢୁଥିଲେ ହେଲେ ଏବେ ଠାରୁ ହାଓ ଟୁ ଥିଙ୍କ(କିପରି ବିଚାର) ଉପରେ ଫୋକସ କରାଯାଇଛି । ଏଥିସହ ପିଲାଙ୍କୁ ବଳପୂର୍ବକ ଭାବେ ପଢା ନଯାଇ ସେମାନଙ୍କ ଇଚ୍ଛା ମୁତାବକ ପଢିପାରିବେ । ଯଦି ଇଚ୍ଛା ନ ହୁଏ ତେବେ ମଝିରୁ ମଧ୍ୟ ପାଠପଢା ଛାଡିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି କୌଣସି ବ୍ୟକ୍ତି ସମାନ ବୃତ୍ତିରେ ରହିବାକୁ ପସନ୍ଦ କରୁନାହାଁନ୍ତି । ଏପରି ପରିସ୍ଥିତିରେ ତାଙ୍କୁ ନିରନ୍ତର କିଛି ଶିଖିବାର ସ୍ୱାଧୀନତା ରହିଛି ।